ତହବୁର ରାଣା NIA ର ହେପାଜତରେ କେମିତି କାଟୁଛନ୍ତି ଦିନ ? ରଖୁଛି ଏହି ୩ଟି ଡିମାଣ୍ଡ୍

1 min read

ନନ୍ଦିଘୋଷ ବ୍ୟୁରୋ:  ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ବର୍ତ୍ତମାନ ଦିଲ୍ଲୀରେ NIA ର ହେପାଜତରେ ଅଛି। ତେବେ ସେ ସେଠାରେ କିପରି ଦିନ ବିତାଉଛନ୍ତି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି। NIA ଜେରା ଜାରି ରଖିଥିବା ବେଳେ ତହବୁର ତଦନ୍ତରେ ସାହାର୍ଯ୍ୟ କରୁଛି କି ନାହିଁ ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି ?  NIAର  ସୂଚନା ଅନୁଯାୟୀ, ତହବୁରର ମନୋଭାବ ସହଯୋଗପୂର୍ଣ୍ଣ ନୁହେଁ ଏବଂ ସେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଦେଉଛି । ଏହା ଉପରେ NIA ହେପାଜତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ତଦନ୍ତ ବେଳେ ତହବୁର ଏନଆଇଏକୁ ତିନୋଟି ଜିନିଷ ଦାବି କରିଛି। ସେଗୁଡିକ ହେଲା କୁରାନ, କଲମ ଏବଂ କାଗଜ । ଏନେଇ ଏନଆଇଏ ଅଧିକାରୀ ସୂଚନା ଦେଇଛି ।

୨୬/୧୧ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ହୁସେନ ରାଣାଙ୍କୁ NIA ଲଗାତାର ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରିଛି। ଯାହା ଦ୍ଵାରା ୨୦୦୮ ମସିହାର ସମନ୍ୱିତ ଆକ୍ରମଣର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇପାରିବ। ରାଣାଙ୍କୁ ନୂଆଦିଲ୍ଲୀର ସିଜି କମ୍ପ୍ଲେକ୍ସରେ ଥିବା ଏନଆଇଏ ମୁଖ୍ୟାଳୟରେ ଏକ ଉଚ୍ଚ-ସୁରକ୍ଷା ସେଲରେ ରଖାଯାଇଛି। ସେଠାରେ ସୁରକ୍ଷା କର୍ମୀମାନେ ଦିନରାତି ଜଗି ରହିଛନ୍ତି।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ରାଣାଙ୍କୁ ଅନ୍ୟ ଗିରଫ ବ୍ୟକ୍ତିଙ୍କ ପରି ବ୍ୟବହାର କରାଯାଉଛି। ତାଙ୍କୁ କୌଣସି ବିଶେଷ ସୁବିଧା ଦିଆଯାଉ ନାହିଁ। ତାଙ୍କ ଅନୁରୋଧ କ୍ରମେ ତାଙ୍କୁ କୋରାନର ଏକ କପି ଦିଆଯାଇଛି  । ସେ ରହୁଥିବା କୋଠରୀରେ ଦିନକୁ ପାଞ୍ଚ ଥର ନମାଜ ପଢୁଥିବାର ଦେଖାଯାଇଛି। ଜଣେ ଅଧିକାରୀ ରାଣାଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ କୁରାନ ବ୍ୟତୀତ ରାଣା କଲମ ଏବଂ କାଗଜ ମାଗିଥିଲେ, ଯାହା ତାଙ୍କୁ ଦିଆଯାଇଥିଲା। ତଥାପି, ସେ ଯେପରି ନିଜ କ୍ଷତି କରିବା ପାଇଁ କଲମ ବ୍ୟବହାର ନ କରନ୍ତି ତାହା ନିଶ୍ଚିତ କରିବା ପାଇଁ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହା ବ୍ୟତୀତ ସେ ଅନ୍ୟ କୌଣସି ଦାବି କରିନାହାଁନ୍ତି ।