ଆୟୁଷ୍ମାନ ଭାରତକୁ ନେଇ ଦ୍ୱନ୍ଦ୍ୱ : ରାଜ୍ୟ ସରକାରଙ୍କୁ କଡା ସମାଲୋଚନା

ଭୁବନେଶ୍ବର: ରାଜ୍ୟରେ ବିଏସକେୱାଇ ବଦଳରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ସିପିଆଇଏମର ତୀଵ୍ର ସମାଲୋଚନା । ବିଜେଡି ସରକାର ବେଳେ ସ୍ୱତନ୍ତ୍ର ଯୋଜନାରେ ବିଏସକେୱାଇ ଅଣାଯାଇଥିଲା । ଯୋଜନାରେ ଅନେକ ଗରିବ ଉପକୃତ ହେଉଥିଲେ । କିନ୍ତୁ ବିଜେପି ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁଛି । ବିଏସକେୱାଇ ଯୋଜନରେ ସମସ୍ତେ ସାମିଲ ହେଉଥିଲେ ଓ କ୍ୟାସଲେସର ସୁବିଧା ପାଉଥିଲେ । ତେଣୁ ଆୟୁଷ୍ମାନ ଯୋଜନାକୁ ନେଇ ଅନେକ ଦ୍ବନ୍ଦ୍ୱ ସୃଷ୍ଟି ହେଉଛି ।
ସେପଟେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନେଇ ରାଜ୍ୟ ସରକାରକୁ ତୀଵ୍ର ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ । ବିଏସକେୱାଇ କାର୍ଡ଼ରେ ରୋଗୀଟିଏ ଗଲେ ଘରୋଇ ଡାକ୍ତରଖାନା ଗୁଡିକ ଆଗ୍ରହର ସହ ଚିକିତ୍ସା କରୁଥିଲେ। କିନ୍ତୁ ଆୟୁଷ୍ମାନ ଭାରତ କାର୍ଡରେ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଚିକିତ୍ସା ଦେବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ସାଧାରଣ ଲୋକ ଏଭଳି ନିଷ୍ପତ୍ତି ଯୋଗୁଁ ବହୁ ହଇରାଣ ହେବେ । ସରକାର ଏହି ନୂଆ ବ୍ୟବସ୍ଥାରେ ଆଗେ ଅର୍ଥ ଡିପୋଜିଟ କରନ୍ତୁ ଓ ଲୋକମାନଙ୍କୁ କିଭଳି ଘରୋଇ ହସ୍ପିଟାଲ ବିଭିନ୍ନ ଆଳ ଦେଖାଇ ଫେରାଇ ଦେବେ ନାହିଁ ସେ କଥାକୁ ବିଚାର କରିବାକୁ ଦାବି କରିଛନ୍ତି । ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କାର୍ଡରେ ଓଡିଶାବାସୀ ଉପକୃତ ହେଉଥିଲେ। ଆୟୁଷ୍ମାନ ଯୋଜନା ଭଲ ନୁହେଁ ବୋଲି ପୂର୍ବ ସରକାର ଏହାକୁ ଲାଗୁ କରିନଥିଲେ ।