୫ ହଜାର କର୍ମୀଙ୍କ ନାଁରେ ମାମଲା କରି ବିଜେପି ସରକାରର ହିଟଲର ଶାସନର ପ୍ରମାଣ ଦେଇଛି: କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ କଂଗ୍ରେସକୁ ନିଷ୍କ୍ରିୟ କରିବା ଲାଗି ବିଜେପି ରଚିଛି ଷଡ଼ଯନ୍ତ୍ର । ପୋଲିସ ସହାୟତାରେ ମିଛ ମାମଲା ରୁଜୁ କରି ଡରାଇବାକୁ ଚାହୁଁଛି ଶାସକ ଦଳ । ଏହା ବିରୋଧରେ ଜୋରଦାର ଲଢେଇ କରିବାକୁ ଆହ୍ଵାନ ଦେଇଛି କଂଗ୍ରେସ । ଦଳର ନେତା, ବିଧାୟକ ଓ ୫ ହଜାର କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରି ସରକାର ହିଟଲର ଶାସନର ପରିଚୟ ଦେଇଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

କଂଗ୍ରେସର ୪୦ ବରିଷ୍ଠ ନେତା, ସମସ୍ତ ୧୪ ବିଧାୟକ ଓ ୫ ହଜାର କର୍ମୀଙ୍କ ବିରୋଧରେ ମାମଲା । ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜଧାନୀର ଲୋୟର ପିଏମଜି ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ଦଙ୍ଗା, ପୋଲିସକୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ ଭଳି ଅଭିଯୋଗରେ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି ପୋଲିସ । ରାଜନୈତିକ ବିକ୍ଷୋଭ ବେଳେ ଏତେ ନେତା ଓ କର୍ମୀଙ୍କ ନାଁରେ ମାମଲା ରୁଜୁ କରାଯିବା ଓଡ଼ିଶା ରାଜନୀତିରେ ବିରଳ ଓ ଆଶ୍ଚର୍ଯ୍ୟଜନକ ଘଟଣା । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, କଂଗ୍ରେସର ସ୍ଵରକୁ ଚାପି ଦେବାକୁ ଓ ନିଷ୍କ୍ରିୟ କରିବାକୁ ପୋଲିସର ସହାୟତା ନେଇଛି ଶାସକ ଦଳ । ଏହା ବିରୋଧରେ କଂଗ୍ରେସ ଜୋରଦାର ଲଢ଼େଇ କରିବ । ରାଜ୍ୟରେ ହିଟଲର ଶାସନ ଚାଲିଛି ବୋଲି କଂଗ୍ରେସ ନେତା ପ୍ରକାଶ ମିଶ୍ର କହିଛନ୍ତି । ଅତ୍ୟାଚାର ବିରୋଧରେ ମୁହଁ ଖୋଲିଲେ ମାମଲା ରୁଜୁ କରୁଛି ପୋଲିସ । ଏହାକୁ ବରଦାସ୍ତ କରାଯିବନି ।

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ନାବାଳିକା ଅସୁରକ୍ଷିତ। ଏହାକୁ ପ୍ରସଙ୍ଗ କରି ଉଭୟ ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ସଂଗ୍ରାମ କରିଥିଲା । ୫ ହଜାରରୁ ଅଧିକ କର୍ମୀଙ୍କ ବିରୋଧରେ ମାମଲା ପରେ ଶାସକ ଦଳକୁ କଂଗ୍ରେସ ଟାର୍ଗେଟ କରିଥିବାରୁ ଜବାବ ଦେଇଛି ବିଜେପି । ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, ସରକାର କାହାର ସ୍ଵର ଚାପିବାକୁ ଉଦମ୍ୟ କରୁନାହାନ୍ତି । କଂଗ୍ରେସ ବିଧାନସଭା ଆଗାରେ ବିକ୍ଷୋଭ ବେଳେ କି କାଣ୍ଡ କରିଛି ତାହା ରାଜ୍ୟବାସୀ ଦେଖିଛନ୍ତି । ଆଇନ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।