ନିଟ-ୟୁଜି ୨୦୨୪ ପେପର ଲିକ୍ ମାମଲାର ଅବସାନ

1 min read

ନନ୍ଦିଘୋଷ ବ୍ୟୁରୋ : ନିଟ-ୟୁଜି ୨୦୨୪ ପରୀକ୍ଷା ମାମଲାର ଅବସାନ। ଦୀର୍ଘ ସମୟ ଧରି ବିଚାର ବିଭାଗୀୟ ତର୍ଜମା ଓ ଆଇନଗତ ବିତର୍କ ପରେ ପେପର ଲିକ୍ ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ-ୟୁଜି ନେଇ ଦୀର୍ଘ ବିତର୍କ ଜାରି ରହିଥିଲା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଗଠିତ ବିଶେଷଜ୍ଞ କମିଟି ପକ୍ଷରୁ ନିର୍ଦ୍ଧାରିତ ସମସ୍ତ ପ୍ରସ୍ତାବକୁ ମାନିବେ ବୋଲି କେନ୍ଦ୍ର ସରକାର କହିବା ପରେ ଏହି ମାମଲାର ଅନ୍ତ ଘଟିଛି।

ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କ ପକ୍ଷରୁ ରିପୋର୍ଟ ଦାଖଲ ପରେ ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ ପି.ଏସ. ନରସିହ୍ମା ଓ ଜଷ୍ଟିସ ଜୟମାଲ୍ଯା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ । ତୁଷାର ମେହଟ୍ଟା ଦର୍ଶାଇଥିଲେ ବିଶେଷଜ୍ଞ କମିଟିର ୭ ସଦସ୍ୟଙ୍କ ମଧ୍ୟରୁ ଜଣେ ସଦସ୍ୟ ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. ରାଧାକ୍ରିଷ୍ଣନଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟ ବିଶେଷଜ୍ଞ କମିଟି ପ୍ରସ୍ତାବକୁ ଗ୍ରହଣ କରିବାକୁ ଚାହିଁଥିଲେ। ଗତବର୍ଷ ନିଟ-ୟୁଜି ୨୦୨୪କୁ ସ୍ଥଗିତ ରଖିବା ଲାଗି କୋର୍ଟ ମନା କରିଥିଲେ। ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ଦର୍ଶାଇଥିଲେ କୋର୍ଟ। ଗତ ୨୦୨୪ରେ ଏନଟିଏ ପକ୍ଷରୁ ନିଟ-ୟୁଜି ଅନୁଷ୍ଠିତ ହୋଇଥିଲା ଏବଂ ଏମବିବିଏସ, ବିଡିଏସ ଓ ଆୟୁଷ ବିଭାଗ ଲାଗି ୨୩ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।