ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ୨ ଟଙ୍କା ଉତ୍ପାଦ ଶୁଳ୍କ, ବଢ଼ିବ ବି ତେଲ ଦର ?

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ (ଏକ୍ସାଇଜ ଡ୍ୟୁଟି) ଦୁଇ ଟଙ୍କା ବୃଦ୍ଧି କରିଛନ୍ତି । ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ଅନୁସାରେ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୧୩ ଟଙ୍କା ପ୍ରତି ଲିଟର ହୋଇଯାଇଛି । ସେହିପରି ଡିଜେଲ ଉପରେ ଶୁଳ୍କ ୧୦ ଟଙ୍କା ପ୍ରତି ଲିଟର ହୋଇଛି । ଖୁଚୁରା ବେପାର ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ ସେ ନେଇ ନିର୍ଦ୍ଦେଶନାମାରେ କିଛି କୁହାଯାଇନି ।

ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବଢ଼ିବା ପରେ ପ୍ରଶ୍ନ ଉଠୁଛି, କ’ଣ ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିବ । ଦୀର୍ଘ ଦିନ ହେଲା ତେଲ ଦର ସ୍ଥିର ଥିବା ବେଳେ ଲୋକଙ୍କ ପକେଟ ଖାଲି ହେଉଛି । ଏମିତି ସ୍ଥିତିରେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ଯଦି ପେଟ୍ରୋଲ ଓ ଡିଜେଲରେ ବୃଦ୍ଧି ଘଟେ, ଏହା ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଇବ । ହେଲେ, ଉତ୍ପାଦ ଶୁଳ୍କ ବଢ଼ିବା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଜଣାପଡିଛି । ଏହାର ବୋଝ ତେଲ କମ୍ପାନୀ ଉଠାଇବେ ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ମାର୍ଚ୍ଚ ୧୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଲିଟର ଉପରେ ୨ ଟଙ୍କା କମ କରିଥିଲେ । ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୌଧିକ ତୈଳ ଦର କମି କମି ଯାଉଥିଲେ ବି ସରକାର ପେଟ୍ରୋଲ ଓ ଡିଜେଲ ଦର କମାବାର ନାଁ ଧରୁନାହାନ୍ତି । ଏମିତି ସ୍ଥିତିରେ ପେଟ୍ରୋଲ ଓ ଡିଜାଲ ମୂଲ୍ୟ ହ୍ରାସ ହେବା ଦରକାର ।

ସୂଚନାଯୋଗ୍ୟ, ସୋମବାର ମଧ୍ୟ ଅଶୌଧିତ ତେଲ ଦର କମିଛି । ଆମେରିକୀୟ ବ୍ରେଞ୍ଚମାର୍କ ଅଶୌଧିତ ତେଲ ୪ ପ୍ରତିଶତ ଅର୍ଥାତ ୨.୫୦ ଡଲାର କମି ୫୯.୪୯ ଡଲାରରେ ପହଞ୍ଚିଛି । ଏହି କ୍ରମରେ ବ୍ରେଣ୍ଟ କୃଡ ୨.୨୫ ଡଲାର କମି ୬୩.୩୩ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି । ଗତ କିଛିଦିନରେ ଅଶୌଧିତ ତେଲ ଦର କମି କମି ଯାଉଛି । ହେଲେ କେନ୍ଦ୍ର ତେଲ ଦର କମାଇ ଲୋକଙ୍କୁ ଆସ୍ବସ୍ତି ଦେବାକୁ କୌଣସି ପଦକ୍ଷେପ ନନେଇ କମ୍ପାନୀଙ୍କ ପକେଟ ଗରମ କରୁଛି ।