spot_img

Latest Posts

ନାରୀ ନିର୍ଯାତନା ପ୍ରସଙ୍ଗ ଉଠିଲେ ଚିହିଁକି ଉଠୁଛି ଶାସକ ଦଳ

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାରକୁ ଡର। ନାରୀ ନିର୍ଯାତନା ପ୍ରସଙ୍ଗ ଉଠିଲେ ଚିହିଁକି ଉଠୁଛି। କାହିଁକି ଚଳାଇଛନ୍ତି ଦମନଲୀଳା। ବିଜେପି ସରକାରକୁ ଏଭଳି ଢଙ୍ଗରେ ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଓ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଜୋରଦାର କଲା ପରେ କଂଗ୍ରେସ ବିରୋଧରେ ଶକ୍ତ ହୋଇଛି ବିଜେପି। ବିଧାନସଭା ଘେରାଉ ବେଳେ କଂଗ୍ରେସ ନେତା ଓ କର୍ମୀଙ୍କ ବିରୋଧରେ ନିଆଗଲା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ବେଳେ ବହୁ କଂଗ୍ରେସ କର୍ମୀଙ୍କୁ ଅଟକ ରଖିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଦଳ କହିଛି, ଏଠି ଅପରାଧୀ ନୁହେଁ, ରାଜନେତାଙ୍କୁ ଭୟ କରୁଛନ୍ତି ସରକାର ଓ ମୁଖ୍ୟମନ୍ତ୍ରୀ। ପୋଲିସ ସାଜିଛି ଶାସକ ଦଳର ଗୁଣ୍ଡା। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କ ଉପରେ ପଥର ଫିଙ୍ଗିଲା ଖାକି ବାହିନୀ। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏତେ ପରିମାଣରେ ଢ଼େଲା ପଥର କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ନାରୀଙ୍କୁ ନ୍ୟାୟ ପାଇଁ କଂଗ୍ରେସ ଆଗାମୀ ଦିନରେ ଆହୁରି ୧୦ ଗୁଣ ଅଧିକ ଦମରେ ଲଢେଇ କରିବ ବୋଲି ଚେତାଇ ଦେଇଛନ୍ତି ପିସିସି ସଭାପତି।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ସବୁ ସାମ୍ବିଧାନିକ ନୀତି ନିୟମକୁ ଉଲ୍ଲଙ୍ଘନ କରୁଛି ବିଜେପି। ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ବିଧାନସଭା ପରିସରକୁ ପଶିବାକୁ ଦିଆଯାଉ ନାହିଁ ଅନୁମତି। ଏନେଇ ଜନ ଜାଗରଣ ସୃଷ୍ଟି କରାଯିବା ସହ ବିଜେପିରଏକଛତ୍ରବାଦ ନୀତି ବିରୋଧରେ ଆନ୍ଦୋଳନ କରିବ ଦଳ। ତେଣୁ ତୁରନ୍ତ ସରକାର ତୁରନ୍ତ ପ୍ରତିଶୋଧ ପରାୟଣ ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି କହି ଚେତାଇ ଦେଇଛନ୍ତି ପିସିସି ସଭାପତି। ରାଜ୍ୟସ୍ବାର୍ଥ ପ୍ରସଙ୍ଗରେ ସ୍ବର ଉଠାଇଲେ ବିରୋଧୀଙ୍କ ଉପରେ ରାଗ ସୁଝାଉଛି ବିଜେପି। ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇଲେ ନାଲି ଆଖି ଦେଖାଉଛି ଶାସକ ଦଳ। ବିରୋଧୀଙ୍କ ସ୍ବରକୁ ଚପାଇ ଦିଆଯାଉଛି। ପୋଲିସ ଲଗାଇ ଦିଆଯାଉଛି ଧମକ। ହେଲେ ଶାସକ ଦଳର କାର୍ଯ୍ୟାନୁଷ୍ଠାନକୁ ଭୟ ନକରି ଆନ୍ଦୋଳନକୁ ବ୍ୟାପକ କରିବାକୁ ସଜବାଜ ହେଉଛି କଂଗ୍ରେସ।

Latest Posts

Don't Miss