ବନ ବିଭାଗରେ ସାଂଘାତିକ ଦୁର୍ନୀତି: ମୃତ କେନ୍ଦୁପତ୍ର ତୋଳାଳିଙ୍କ ବୀମା ଟଙ୍କା ହଡ଼ପ ନେଇ ଆସିଲା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗୀର କେନ୍ଦୁପତ୍ର ବିଭାଗରେ ବଡ଼ ଧରଣ ଦୁର୍ନୀତି । ବେଧଡ଼କ ଚାଲିଛି ପିସି କାରବାର । ଗରିବଙ୍କୁ ଲୁଟୁଛନ୍ତି ଅଧିକାରୀ । ମୃତକଙ୍କ ବୀମା ସହାୟତା ରାଶିରୁ ଲୁଟ୍ ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ହିତାଧିକାରୀ । ପୂର୍ବରୁ ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଟଙ୍କା ଲୁଟ ଅଭିଯୋଗ ପରେ ଏବେ ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରୁ ଆସିଛି ଆଉଏକ ସାଂଘାତିକ ଅଭିଯୋଗ । ୨୦୨୨ରେ ତୁଷୁରା କେନ୍ଦୁପତ୍ର କାର୍ଯ୍ୟାଳୟ ଅଧୀନ ଅଏଁଲାପାଲି ଗାଁର ୨ ଜଣ କେନ୍ଦୁପତ୍ର ତୋଳାଳି ଶଶି ବନଛୋର ଓ ଭଜ ବନଛୋରଙ୍କ ମୃତ୍ୟୁ ହୋଇଥିଲା  । ମୃତକଙ୍କ ସ୍ତ୍ରୀଙ୍କୁ ୨ ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା ରହିଛି  । ଟଙ୍କା ପାଇବା ଆଶାରେ ପ୍ରଥମେ ୧୦ ହଜାର ଟଙ୍କା ଓ ପରେ ୬୦ ହଜାର ଟଙ୍କା ନେଇଥିଲେ ଅଧିକାରୀ । କିନ୍ତୁ ଏବେ ପୁଣି ୨୦ ହଜାର ଟଙ୍କା ମାଗୁଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ମୃତକଙ୍କ ବିଧବା ପତ୍ନୀ ।

ପୂର୍ବରୁ ଏନେଇ ଟିଟିଲାଗଡ଼ ଡିଏଫଓଙ୍କୁ ଲିଖିତ ଅଭିଯୋଗ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ । ସ୍ୱାମୀଙ୍କ ମୃତ୍ୟୁ ପାଇଁ ସରକାର ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି  । ଶୈଳ ବନଛୋରଙ୍କ ଆକାଉଣ୍ଟକୁ ୨ ଲକ୍ଷ ବଦଳରେ ୧ ଲକ୍ଷ ୬୪ ହଜାର ୯୨୧ ଟଙ୍କା ଆସିଥିବା ବେଳେ ସେଥିରୁ ୪୫ ହଜାର ଟଙ୍କା ପିସି ଆକାରରେ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଲତାଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି  । ତାଙ୍କ ମଧ୍ୟ ଘରକୁ ଆସି ବନ କର୍ମଚାରୀ ୩୯ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ସିଧାସଳଖ ବିଭାଗୀୟ ଅଧିକାରୀ ଖଣ୍ଡନ କରିନଥିଲେ ମଧ୍ୟ ତଦନ୍ତ ଚାଲିଥିବା କହିଛନ୍ତି  । ସେପଟେ ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।