ଗ୍ରୀଷ୍ମ ଆରମ୍ଭରୁ ଜଳସଙ୍କଟ: ନଦୀର ଜଳସ୍ତର କମିଯିବାରୁ ଆତଙ୍କିତ ଅବସ୍ଥାରେ ଜନସାଧାରଣ

ଗଜପତି: ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ । ଶୁଖିଲାଣି ଚିରସ୍ରୋତା ମହେନ୍ଦ୍ରତନୟା । ମରୁଭୂମି ପରି ଲାଗୁଛି ନଦୀଗର୍ଭ । ଯେଉଁଆଡେ ଦେଖିବେ ଖାଲି ବାଲି ଆଉ ପଥରଖଣ୍ଡ । ନଦୀର ଉପରମୁଣ୍ଡରେ ଜଳ ଆବଣ୍ଟନରେ ନିୟନ୍ତ୍ରଣ ନ ଥିବାରୁ ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ତଳମୁଣ୍ଡର ନଦୀ ଶୁଖିବାକୁ ଗଲାଣି । ଯାହାକୁ ନେଇ ଚିନ୍ତାରେ ନଦୀକୂଳିଆ । ନଦୀର ଜଳ ସ୍ରୋତ କ୍ଷୀଣ ହେବା ଫଳରେ ଗୋଷାଣୀ ବ୍ଲକର ଅଗରଖଣ୍ଡି , କେରାଣ୍ଡି , ଉପଲଡା, ଖରସଣ୍ଡା , ମଧୁସୂଦନପୁର , ବାଘସାଳା , କତଲକଇଠା ଆଦି ପଞ୍ଚାୟତର ଶହ ଶହ ହେକ୍ଟର ପରିବା ଚାଷ ପାଇଁ ଜଳସେଚନର ସମସ୍ୟା ଦେଖାଦେଇଛି ।

ପାନୀୟ ଜଳ ପାଇଁ ମହେନ୍ଦ୍ର ତନୟା ନଦୀ ଉପରେ ଗୋଷାଣି ଓ ରାୟଗଡା ବ୍ଳକ ସମେତ ପାରଳାଖେମୁଣ୍ଡି ସହରର ଲୋକେ ନିର୍ଭରଶୀଳ । ବୃନ୍ଦାବନ ପ୍ୟାଲେସ ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ପ୍ରକଳ୍ପ ମାଧ୍ୟମରେ ନଦୀରୁ ପାଣି ଉଠାଇ ସହରରେ ପାନୀୟ ଜଳର ଯୋଗାଣ ବ୍ୟବସ୍ଥା କରାଯାଉଛି । ବିଗତ ବର୍ଷ ନଦୀ ଶୁଖିଯିବା ଫଳରେ ଜଳ ଯୋଗାଣ ପ୍ରକିୟା ବାଧାପ୍ରାପ୍ତ ହୋଇଥିଲା। ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ନଦୀରେ ଜଳସ୍ତର କମିଗଲାଣି । ତେଣୁ ଆଗୁଆ ନଦୀରେ ଆଡ଼ିବନ୍ଧ କରି ଅଟକା ଯାଇଥିବା ଜଳକୁ ବ୍ୟବହାର କରୁଛି ଜନସ୍ୱାସ୍ଥ୍ୟ ବିଭାଗ, ଯଦି ବର୍ଷାର ପରିମାଣ କମ ହୁଏ ତେବେ ପାନୀୟ ଜଳ ସମସ୍ଯା ଉତ୍କଟ ହେବାର ଆଶଙ୍କା ରହିଛି । ଅନ୍ଯପଟେ ଜଳ ସମସ୍ୟାର ସମାଧାନ କରାଯିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ସହକାରୀ ଯନ୍ତ୍ରୀ ।