ଭେଳିକି ସାଜିଛି ବର୍ଦ୍ଧିତ ଭତ୍ତା: ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମିଳୁନି ଭତ୍ତା, ସରକାରୀ ଅଫିସକୁ ଧାଇଁ ଧାଇଁ ନିରାଶ

ଡୁଙ୍ଗୁରିପାଲି: ନିର୍ବାଚନୀ ଇସ୍ତାହାର ବେଳେ ୮୦ ପ୍ରତିଶତରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ ସରକାରକୁ ଆସିବା ପରେ ପ୍ରତିଶ୍ରୁତି ପାଣିରଗାର ପାଲଟିଛି । ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶତ ପ୍ରତିଶତ ପିଲାକୁ ବର୍ଦ୍ଧିତ ଭତ୍ତା ମିଳୁନଥିବା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ହରଭଙ୍ଗା ଗ୍ରାମର ଦିବ୍ୟାଙ୍ଗ ଅଂଶୁମାନ ସାହୁଙ୍କ ପାଇଁ ବର୍ଦ୍ଧିତ ଭତ୍ତା ସତେ ଯେପରି ସାତସପନ ପାଲଟିଛି । ଭତ୍ତା ଟିକକ ପାଇଁ ଅଂଶୁମାନଙ୍କୁ ନେଇ ଗରିବ ପିତା ମାତା ଗାଡି ଭଡା କରି ଅନେକ ବାର ଏ ଅଫିସରୁ ସେ ଅଫିସକୁ ଧାଇଁ ନୟାନ୍ତ ହୋଇଗଲେଣି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ଦ୍ଵାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।