କେବେ ଖୋଲିବ ବନ୍ଦ ଥିବା ପ୍ରାଥମିକ ସ୍କୁଲ ? ସରକାରଙ୍କୁ ଗୃହରେ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ବନ୍ଦ ପଡିଥିବା ପ୍ରାଥମିକ ସ୍କୁଲକୁ ପୁଣି ଖୋଲିବା ପ୍ରସଙ୍ଗ। ନିର୍ବାଚନ ସମୟରେ ବିଜେପି ସବୁ ବନ୍ଦ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲା। ହେଲେ ଏ ଯାଏଁ ହୋଇପାରିଲାନି। ପ୍ରଶାସନ କହୁଛି ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇନାହାନ୍ତି। ପୁଣି କେଉଁଠି ଖୋଲିବାକୁ ଆବେଦନ କରାଯିବ। ଏ ସବୁ ପ୍ରଶ୍ନ ଉପସ୍ଥାପନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା।
ସେପଟେ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ଗଣଶିକ୍ଷାମନ୍ତ୍ରୀ। କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ପ୍ରସ୍ତାବ ଆସିନି। ପ୍ରଥମେ ଜିଲ୍ଲା କମିଟି ଯାଞ୍ଚ କରି ରାଜ୍ୟସ୍ତରୀୟ କମିଟିକୁ ଯାଞ୍ଚ ପାଇଁ ପଠାଇବ। ରାଜ୍ୟ ସ୍ତରୀୟ କମିଟି ସ୍କୁଲ ଖୋଲିବାକୁ ସୁପାରିସ କରିବେ।ପିଲା କମ ଥିବାରୁ ପାଖ ସ୍କୁଲରେ ୫ ହଜାର ୬୩୨ସ୍କୁଲ ମିଶ୍ରଣ ହୋଇଛି।ଏନେଇ ଗତ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।
ସେହିପରି ୨୧୫୨ସାଟେଲାଇଟ ସ୍କୁଲକୁ ୧୦୦ ମିଟର ମଧ୍ୟରେ ଥିବା ପାଖ ସ୍କୁଲରେ ମିଶ୍ରଣ କରାଯାଇଛି। ସଂରକ୍ଷିତ ଅଞ୍ଚଳରେ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ ସ୍କୁଲ ଖୋଲିବାକୁ ବିଚାର କରାଯିବ। ଏହି ପ୍ରକ୍ରିୟା ଅନୁସାରେ ଆବେଦନ କରାଯିବ ବୋଲି ଗୃହକୁ ଅବଗତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେପଟେ ଶିକ୍ଷା ଅବ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ। ଗୋଡିପଦର ଓ ବଳରାମପୁର ପଂଚାୟତରେ ସ୍କୁଲ ନଥିବାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶକୁ ପଢିବାକୁ ପିଲା ଯାଉଥିବା କହିଛନ୍ତି। ବ୍ଲକ ଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ବି ନାହାନ୍ତି। ଏହାର ଉତ୍ତରେ ମନ୍ତ୍ରୀ କହିଛନ୍ତି, ଯେଉଁଠି ଶିକ୍ଷକ ନାହାନ୍ତି ସେଠାରେ ଅତିଥି ଶିକ୍ଷକ ଜରିଆରେ ପାଠ ପଢାଯାଉଛି