ଅଙ୍ଗନବାଡି କର୍ମୀଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ସୁପରଭାଇଜର

କୋରାପୁଟ: ଅଙ୍ଗନବାଡ଼ି କର୍ମଚାରୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର । ଭିଜିଲାନ୍ସ କବଜାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ରେଣୁକା ପଟ୍ଟନାୟକ । ବୁର୍ଜା ଅଙ୍ଗନବାଡି କେନ୍ଦ୍ରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ଅଙ୍ଗନବାଡି କର୍ମୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ।
ନୂତନ ଭାବେ ନିଯୁକ୍ତି ପାଇଥିବା ପିପଳପଦର ଗାଁର ଅଙ୍ଗନବାଡି କର୍ମୀ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସକୁ ଯୋଗାଯୋଗ କରିଥିଲେ । ବର୍ତ୍ତମାନ ଏହି ଟଙ୍କା କାହା ପାଇଁ ସୁପରଭାଇଜର ଜଣକ ନେଉଥିଲେ ଓ ଏଥିରେ ଆଉ କାହା କାହା ସମ୍ପୃକ୍ତି ଅଛି ସେ ନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।