ଗଙ୍ଗାଜଳ ପଲିଟିକ୍ସ, ପବିତ୍ର ହେଲା ବିଧାନସଭା: ଭିତରେ ଓ ବାହାରେ ବିଜେଡି ସଦସ୍ୟଙ୍କ ଗଙ୍ଗାଜଳ ସିଞ୍ଚନ

ଭୁବନେଶ୍ବର: ପବିତ୍ର ବିଧାନସଭାକୁ ଅପବିତ୍ର କରିଛି ବିଜେପି । ବିଧାନସଭାରେ କେବେ ପୋଲିସ ପଶି ନଥିଲା କି ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରି ନଥିଲା । ହେଲେ ବିଜେପି ସରକାରରେ ଏହା ଘଟିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡି ବିଧାୟକ ।
ବିଧାନସଭା ଅପବିତ୍ର ହୋଇଛି । ଗୃହ ଭିତରେ ବାହାର ଲୋକ ପଶିଛନ୍ତି । ବିଧାୟକଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି । ଶାସକ ଦଳର କଥାରେ ପଡି ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୃହକୁ ବିଧାୟକମାନେ ଯିବା ଆସିବା କରିବା ସମୟରେ ବାଧା ଦେଇଛି । ବିଧାୟକଙ୍କୁ ମାଡ ମଧ୍ୟ ମରାଯାଇଛି । ଲୁଟ୍ ବି ହୋଇଛି । ବିଧାନସଭାର ବର୍ଷ ବର୍ଷର ପରମ୍ପରାକୁ ଭଙ୍ଗ କରାଯିବା ସହ ଗୃହକୁ ଅପବିତ୍ର କରାଯାଇଛି । ଏପରି ଅଭିଯୋଗ ଆଣି ଗୁରୁବାର ବିଧାନସଭା ଭିତରେ ଓ ବାହାରେ ବିଜେଡି ବିଧାୟକମାନେ ଗଙ୍ଗାଜଳ ସିଞ୍ଚି ବିଧାନସଭାକୁ ପବିତ୍ର କରିଛନ୍ତି । ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରି ଗୃହ ମଧ୍ୟରେ ଗଙ୍ଗା ଜଳ ପକେଇ ପ୍ରତିବାଦ କରିଥିଲେ । ଗୃହ ପବିତ୍ର ହେବା ପରେ ବିଜେଡି ବିଧାୟକମାନେ ପ୍ରଶ୍ନକାଳରେ ସାମିଲ ହୋଇଥିଲେ ।
ସେପଟେ ବିଜେଡିର ଅଭିନବ ପ୍ରତିବାଦ ପରେ ତେଜିଛି ଗଙ୍ଗାଜଳ ରାଜନୀତି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ବିଜେପି ବିଧାନସଭାରେ ଏକଛତ୍ରବାଦ୍ ଶାସନ ଚଳାଇଛି । ଗୁଣ୍ଡାଗର୍ଦ୍ଦି ଆରମ୍ଭ କରୁଛି । ଏହା ବିରୋଧରେ ବିଜେଡି ସ୍ୱର ଉତ୍ତୋଳନ କରିଛି ଓ କରିବ । ବଜେଟ ଅଧିବେଶନରେ ବିଧାନସଭା ପରିଚାଳନା ସଠିକ୍ ଭାବେ ହୋଇପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଶାସକ ଦଳକୁ ଘେରିଛନ୍ତି । ଅଭିନବ ପ୍ରତିବାଦ କରି ଶାସକ ଦଳକୁ ଚେତାଇ ଦେଇଛନ୍ତି ବିରୋଧୀ ।