ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ବିରୋଧରେ ରାଜଧାନୀରେ ଖଣ୍ଡପ୍ରଳୟ, କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ

ଭୁବନେଶ୍ବର: ରାଜଧାନୀରେ ଖଣ୍ଡପ୍ରଳୟ । ପିଏମଜି ପାଲଟିଲା ରଣକ୍ଷେତ୍ର । ବାଜିଲା ଲାଠି, ଉଡିଲା ଚେୟାର, ପାଣି ମାଡ଼, ଗ୍ୟାସ ମାଡ଼ ସହ ଫୁଟିଲା ରବର ଗୁଳି । ଆଜି ଏମିତି କିଛି ଚିତ୍ର ଥିଲା ପିଏମଜି ଛକରେ । ରାଜ୍ୟ ସରକାରଙ୍କ ମନମାନୀ ବିରୋଧରେ କଂଗ୍ରେସ ପକ୍ଷରୁ କରାଯାଇଥିବା ସମାବେଶରେ ରକ୍ତମୁଖା ହୋଇଥିଲା ପୋଲିସ । ଲାଠିଚାର୍ଜରେ ଆହତ ହୋଇଛନ୍ତି ଅନେକ କଂଗ୍ରେସ କର୍ମୀ । ବିଜେପି ସରକାରର ଏକଛତ୍ରବାଦ ବିରୋଧରେ ହୋଇଥିବା ଗର୍ଜନ ଆଗକୁ ଅଧିକ ଶାଣିତ ହେବ ବୋଲି କହିଛନ୍ତି ଦଳର ନେତା ।

ଦିନ ଦଶଟା । ଭୁବନେଶ୍ୱରର ଲୋୟର ପିଏମଜି ଅଭିମୁଖେ ମାଡି ଚାଲିଲେ ହଜାର ହଜାର କଂଗ୍ରେସ କର୍ମୀ । ହାତରେ ଦଳୀୟ ପତାକା, ନାରୀ ନିର୍ଯାତନା ଓ ବିଜେପି ସରକାର ବିରୋଧୀ ପ୍ଲାକାର୍ଡ । ରାଜ୍ୟ ବିଜେପି ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ଓ ନାରୀ ବିରୋଧୀ ଆଭିମୁଖ୍ୟ ବିରୋଧରେ ଗର୍ଜିଥିଲେ କଂଗ୍ରେସ ନେତା । ଶହ ଶହ ପୋଲିସ ବିଧାନସଭା ଚାରି ପଟେ ବ୍ୟାପକ ବ୍ୟାରିକେଡ ଲଗାଇ ଜଗି ରହିଥିଲେ । ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା ବିରୋଧରେ ଭୀମ ଗର୍ଜନ କରି ଆଗେଇ ଚାଲିଥିଲେ କଂଗ୍ରେସ କର୍ମୀ ।

ଦିନ ପ୍ରାୟ ଗୋଟାଏ । କଂଗ୍ରେସ କର୍ମୀଙ୍କ ସାମାନ୍ୟ ଠେଲାପେଲା ପରେ ହଠାତ ଆଗ୍ରେସିଭ ହୋଇଥିଲା ପୋଲିସ । କଂଗ୍ରେସ କର୍ମୀଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଥିଲା ରକ୍ତମୁଖା ପୋଲିସ । ନିରୀହ କର୍ମୀଙ୍କ ଉପରେ ପୋଲିସର ବର୍ବର କାଣ୍ଡ ପରେ ଛିନଛତ୍ର ହୋଇଯାଇଥିଲେ କର୍ମୀ । ପୋଲିସର ଆକ୍ରମଣକୁ କାଉଣ୍ଟର କରି କ୍ରୋଧିତ ହଜାର ହଜାର କର୍ମୀ ସିନେମା ଷ୍ଟାଇଲରେ ଚେୟାର ଉଡାଇ ଉଡାଇ ବ୍ୟାରିକେଡ ଆଡ଼କୁ ମାଡି ଆସିଥିଲେ । ସ୍ଥିତି ଭୟଙ୍କର ରୁପ ନେଉଥିଲା । ଚେୟାର ପରେ ପରେ ଟେକା, ପଥର ଓ କାଚ ମାଡ଼ ଆରମ୍ଭ ହୋଇଥିଲା । ଏପରିକି ଅଣ୍ଡା ମାଡ଼ ବି ହୋଇଥିଲା । ପୋଲିସ ଆହୁରି ପ୍ରତିକ୍ରିୟାଶୀଳ ହୋଇ ପାଣି ମାଡ଼ କରିବା ପରେ ତଳେ ପଡିଯାଇଥିଲେ ନେତା ଓ କର୍ମୀ । କେବଳ ଏତିକି ନୁହେଁ ପୋଲିସ ପ୍ରୟୋଗ କରିଥିଲା ଲୁହ ବୁହା ଗ୍ୟାସ ଓ ରବର ଗୁଳି । ପୋଲିସ ଆକ୍ରମଣରେ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପୋଲିସକୁ ଗୁଣ୍ଡା ସଜାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହା ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି । ଆଗକୁ କଂଗ୍ରେସ ଏହାର ଜବାବ ଦେବ ବୋଲି ଚେତାଇ ଦିଆଯାଇଛି ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା, ଯୁବ, ଛାତ୍ର, ମହିଳ ନେତ୍ରୀ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ମଧ୍ୟ ବସିବାକୁ ଦେଇ ନଥିଲା । ବରିଷ୍ଠ କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି ମହିଳା ନେତ୍ରୀଙ୍କୁ ଟେକି ନେଇ ଗିରଫ କରିଥିଲା । ଜବରଦସ୍ତ ଉଠାଇବା ଆଳରେ ପୋଲିସ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିଧାନସଭାରେ ନାରୀ ନିର୍ଯାତନା ପ୍ରସଙ୍ଗରେ ନ୍ୟାୟ ମାଗୁଥିବା କଂଗ୍ରେସ ନେତା ଓ ନେତ୍ରୀଙ୍କୁ ଖୋଦ ପୋଲିସ ମାଡ଼ ମାରିବା ସହ ଅସଦାଚରଣ କରିବା ସରକାରଙ୍କ ଆଭିମୁଖ୍ୟକୁ ପ୍ରକାଶ କରିଛି ।

ରାଜ୍ୟରେ ବର୍ଦ୍ଧିତ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭା ଓ ରାଜରାସ୍ତାରେ ଆକ୍ରମଣତ୍ମକ ଆଭିମୁଖ୍ୟ ଆପଣାଇଛି । ଆଜିର ଆନ୍ଦୋଳନ ଦଳର କମବ୍ୟାକ ପ୍ଲାନ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି ।