ଗୋଡ଼ାଇ ଗୋଡ଼ାଇ କଂଗ୍ରେସ କର୍ମୀଙ୍କୁ ପିଟିଲା ପୋଲିସ, ମହିଳା କର୍ମୀଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋୟର ପିଏମଜି । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ । ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ ସହ କଂଗ୍ରେସ କର୍ମୀଙ୍କ ହସ୍ତାଧସ୍ତି । ଲାଠିଚାର୍ଜ କଲା ପୋଲିସ । ଏକାଧିକ କଂଗ୍ରେସ କର୍ମୀ ଆହତ । କଂଗ୍ରେସ ନେତାଙ୍କୁ ଗିରଫ କଲା ପୋଲିସ ।
ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ପ୍ରତିବାଦରେ ଆଜି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ରାଜ୍ୟସ୍ତରୀୟ ନେତାଙ୍କ ନେତୃତରେ ହଜାର ହଜାର କଂଗ୍ରେସ କର୍ମୀ ବିଧାନସଭା ମୁହାଁ ହୋଇଥିଲେ । ତେବେ ଆନ୍ଦୋଳନକାରୀଙ୍କୁ ଚେକ ଦେବାକୁ ସବୁ ପ୍ରକାର ପ୍ରସ୍ତୁତି କରିଥିଲା କମିଶନରେଟ୍ ପୋଲିସ । ବ୍ୟାରିକେଡ ବସାଇ କଂଗ୍ରେସ କର୍ମୀଙ୍କ ପଥରୋଧ କରିଥିଲେ ପୋଲିସ କର୍ମୀ । ଏହାପରେ ଆରମ୍ଭ ହୋଇଥିଲା କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ।
କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ଓ ଠେଲାପେଲା । ଏହି ସମୟରେ କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପୋଲିସ କର୍ମୀ ଅଟକାଇବାକୁ ଚେଷ୍ଟା କରିବା ସହ ପାଣି ମାଡ଼ କରିଥିଲା । ଏହାସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା । ଏପରିକି ପୋଲିସ କଂଗ୍ରେସ କର୍ମୀଙ୍କ ଉପରେ ଲାଠିଚାର୍ଜ କରିଥିଲା ।
ଗୋଟିଏ ପଟେ ପୋଲିସ ଲାଠିଚାର୍ଜ କରିଥିବା ବେଳେ ଅରପଟୁ କଂଗ୍ରେସ କର୍ମୀ ଚେୟାର ଫିଙ୍ଗିବା ସହ ବୋତଲ ଓ ଟେକା ମାଡ଼ କରିଥିଲେ । ଏହାପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏପରିକି ମହିଳା କଂଗ୍ରେସ କର୍ମୀଙ୍କଚ ମଧ୍ୟ ଛାଡ଼ଇ ନଥିଲେ ପୋଲି କର୍ମୀ । ପୋଲିସ ମହିଳା କର୍ମୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ କରିଛି ଦଳ । କିଛି ମହିଳା କର୍ମୀଙ୍କ ମୁଣ୍ଡ ଫାଟିଥିବା ବେଳେ ଅନେକ ଆଡତ ହୋଇଛନ୍ତି । ପୋଲିସ ଲାଠି ମାଡ଼ରେ କିଛି ମହିଳା କର୍ମୀ ବେହୋସ ହୋଇଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତାଙ୍କୁ ପୋଲିସ ଗିରଫ କରିଛି । ଦିନ ପ୍ରାୟ ଗୋଟାଏ ୪୫ରେ ପିସିସି ସଭାପତି ଭକ୍ତ ଦାସ ଏବଂ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାରାପ୍ରସାଦ ବାହିନୀପତିଙ୍କ ସମେତ ଦଳର ପ୍ରମୁଖ ନେତାଙ୍କୁ ପୋଲିସ ଉଠାଇ ନେଇଛି । ସେହିପରି ଆହତ ପୋଲିସ କର୍ମୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି । ଗିରଫଦାରୀକୁ ନେଇ ଭକ୍ତ କହିଛନ୍ତି, ଗିରଫକୁ ଭୟ ନାହିଁ । ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଭକ୍ତ କହିଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ବର ଡିସିପି କହିଛନ୍ତି, କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଦୋଳନକାରୀ ଏକ ଗାଡିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ତେବେ ଡ୍ରାଇଭର ସଜାଗ ଥିବାରୁ ଏକ ବଡ଼ ଧରଣର ବିପଦକୁ ରୋକାଯାଇପାରିଲା ।