ଫଳକରେ ସୀମିତ ହଷ୍ଟେଲ, ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି ଘଷିପୁରା ବ୍ଲକ ଓଡ଼ପଡା ଜନଜାତି ଛାତ୍ରୀ ନିବାସ

ନନ୍ଦିଘୋଷ ବ୍ୟୁରୋ: ଫଳକରେ ସୀମିତ ଓଡପଡା ଜନଜାତି ଛାତ୍ରୀ ନିବାସ । ରକ୍ଷଣାବେକ୍ଷଣ ଅଭାବରୁ ପାଲଟିଲାଣି ଭୂତକୋଠି । ଜନଜାତି ଶିଶୁମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଲକ୍ଷାଧିକ ଟଙ୍କାରେ ସରକାରଙ୍କ ଦ୍ୱାରା ନିର୍ମିତ ଛାତ୍ରୀବାସ ବ୍ୟବହାର ନହୋଇ ଏବେ ଧ୍ବଂସାଭିମୁଖୀ ।

କେଉଁଠି ତାଲା ଝୁଲୁଛି ତ କେଉଁଠି ଭାଙ୍ଗିରୁଜି ଗଲାଣି ପାଇଖାନା । ଆଉ କେଉଁଠି ଆବର୍ଜନାରେ ଭର୍ତ୍ତି ଘର । ଖାଲି ସେତିକି ନୁହେଁ ଲତା ବୁଦାରେ ଭରିଗଲାଣି ପୂରା ପରିବେଶ । ଏ ହେଉଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଓଡ଼ପଡା ସରକାରୀ ପ୍ରାଥମିକ ବିଦ୍ଯାଳୟ ନିକଟରେ ଥିବା ଛାତ୍ରୀ ନିବାସର ଦୃଶ୍ଯ । ୨୦୧୨ ମସିହାରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ । ଘର କାମ ସରିଯାଇଥିଲେ ବି ଛାତ୍ରୀ ନିବାସର ପାଚେରୀ ଏବେ ମଧ୍ଯ ଅଧପନ୍ତରିଆ ରହିଛି । ଦୀର୍ଘ ଦିନ ହେଲା ଘର ଗୁଡିକ ଉପଯୋଗ ନହେବାରୁ ଏବେ ତାହା ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । କିଛି ଘରକୁ କେତେକ ବ୍ଯକ୍ତି ତାଲା ମାରି ବ୍ଯବହାର କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜରାଜୀର୍ଣ୍ଣ ଛାତ୍ରୀ ନିବାସ ସମ୍ପର୍କରେ ଗ୍ରାମବାସୀ ମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗୋଟିଏ ପଟେ ଘଟଣା ସମ୍ପର୍କରେ ଅଧିକାରୀ ଅବଗତ ଥିବା କହୁଥିବା ବେଳେ, କାର୍ଯ୍ୟ ଅସମ୍ପୁର୍ଣ୍ଣକୁ ନେଇ ଉଚ୍ଚ ପଦାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା କହିଛନ୍ତି । ଏଥିସହିତ ସମସ୍ତ କାମ ସରିଲେ ଛାତ୍ରୀ ନିବାସ କାର୍ଯ୍ଯକ୍ଷମ ହେବ ବୋଲି କହିଛନ୍ତି । ହେଲେ ଯଥା ପୂର୍ବଂ ତଥା ପରଂ । ଯାହାକୁ ନେଇ ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ଛାତ୍ରୀ ନିବାସକୁ କାର୍ଯ୍ଯକ୍ଷମ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।