କେଉଁଠି ବର୍ଷାରେ ଭିଜୁଛି ତ କେଉଁଠି ପାଲ ଘୋଡାଇ ଜଗି ରହୁଛନ୍ତି ଚାଷୀ: ମଣ୍ଡିରେ ପଡ଼ି ରହିଛି ଧାନ

ନନ୍ଦିଘୋଷ ବ୍ୟୁରୋ: ପ୍ରତିଶୃତି ପାଲଟିଛି ପାଣିରଗାର । ସରୁନି ଚାଷୀଙ୍କ ଦୁର୍ଦ୍ଦଶା । ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ ବସ୍ତା । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିରୁ ଧାନ ସଂଗ୍ରହ ଶେଷ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ କୃଷି ସମବାୟ ବିଭାଗର ଦାୟିତ୍ବହୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଦିନିଆ ବର୍ଷା ଓ କୂଆପଥର ମାଡ ଚାଷୀଙ୍କ ପାଇଁ ଦାଉ ସାଜିଛି ।
ରବି ଋତୁରେ ଚାଷ ଆରମ୍ଭ ହୋଇଯାଇଥିବା ବେଳେ ଏବେବି ଖରିଫ ଋତୁର ଧାନ କିଣା ସରୁନି । ଯାଜପୁର ଜିଲ୍ଲାରେ ଧାନ କିଣାରେ ବ୍ଯାପକ ଅବ୍ଯବସ୍ଥା । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ ବସ୍ତା । କେଉଁଠି ଅଦିନିଆ ବର୍ଷା ଓ କୁଆପଥର ମାଡରେ ଧାନ ଗଜା ହେଲାଣି ତ କେଉଁଠି ଓଦା ଧାନରୁ ପାଣି ଛାଣୁଛନ୍ତି ଚାଷୀ । ଅନ୍ଯ କେଉଁଠି ଜରିପାଲ ଘୋଡାଇ ଧାନ ବିକ୍ରି କରିବାକୁ ଚାଷୀ ଚାତକ ଭଳି ଅନେଇ ବସିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିରୁ ଧାନ ସଂଗ୍ରହ ଶେଷ କରିବାକୁ ଦିଆଯାଇଥିଲା ପରାମର୍ଶ । ମାତ୍ର କୃଷି ସମବାୟ ବିଭାଗର ଦାୟିତ୍ବ ହୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ଧାନ ବିକ୍ରି ହେଇ ପାରୁନଥିବାରୁ ଅନେକ ଚାଷୀ ଜିଲ୍ଲା ବାହାରୁ ଆସୁଥିବା ବ୍ରୋକର ମାନଙ୍କ ଜରିଆରେ ଶାଗମାଛ ଦରରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
ଧାନ କିଣା ଅବ୍ଯବସ୍ଥା ନେଇ ଦୁଇଦିନ ତଳେ ରାତିରେ ଦଶରଥପୁର ଠାରେ ଚାଷୀଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚାଷୀ । ଏବେ ବ୍ଲକ ଆଗରେ ଧାରଣା ଦେବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲାର କେତେକ କୃଷକ ସଂଗଠନ ବା ଚାଷୀ ନେତା ଏହାକୁ ପ୍ରତିବାଦ କରି ବଡ ଧରଣର ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେଣି । ଅନ୍ଯପଟେ କୃଷି ସମବାୟ ଏବଂ ଯୋଗାଣ ବିଭାଗର ଅଧିକାରୀ କହିଛନ୍ତି , ସମସ୍ଯାର ସମାଧାନ ପାଇଁ ଉଦ୍ଯମ ଜାରି ରହିଛି ।
ଧାର୍ଯ୍ୟ ଦରରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଭେଳା ବୁଡିବାକୁ ବସିଲାଣି । ଏବେ ସରକାର ଏବଂ ପ୍ରଶାସନ ପକ୍ଷରୁ ଏହାକୁ ପ୍ରତିହତ କରିବାକୁ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।