ଆଜି କର୍ଣ୍ଣାଟକ ବନ୍ଦ, କ’ଣ ଖୋଲା ରହିବ ଓ କେଉଁଠି ଝୁଲିବ ତାଲା?

1 min read

ବେଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ବନ୍ଦ ଘୋଷଣା କରାଯାଇଛି। ବେଲାଗାଭିରେ ଜଣେ ବସ୍ କଣ୍ଡକ୍ଟରଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଅନେକ କନ୍ନଡ ସମର୍ଥକ ଗୋଷ୍ଠୀ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଣ୍ଣାଟକରେ ବନ୍ଦ ଡାକରା ଦେଇଛନ୍ତି। କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମର କଣ୍ଡକ୍ଟରଙ୍କୁ ମରାଠୀ ନ କହିବାରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଭାଷାଗତ ସମ୍ପ୍ରଦାୟ ମଧ୍ୟରେ ଭେଦଭାବକୁ ନେଇ ରାଜ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ଯେ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବନ୍ଦକୁ ସମର୍ଥନ କରିବ ନାହିଁ। ସେ କହିଛନ୍ତି ଯେ ଆମେ ସେମାନଙ୍କୁ ବୁଝାଇବୁ ଯେ ଏହା ସଠିକ୍ ପଦକ୍ଷେପ ନୁହେଁ, କାରଣ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଏହା ପ୍ରଭାବିତ କରିବ ।

ବେଲାଗାଭି ଏବଂ ରାଜ୍ୟର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ପ୍ରତିଦିନ ଯାତାୟତ କରୁଥିବା ଲୋକ ଓ ଛାତ୍ରଛାତ୍ରୀମାନଙ୍କୁ ସତର୍କ କରାଯାଇଛି ଯେ ବନ୍ଦ ସେମାନଙ୍କ ସାଧାରଣ ଦିନଚର୍ଯ୍ୟାକୁ ପ୍ରଭାବିତ କରିପାରେ। ବିଶେଷକରି ଏଠାରେ ଘରୋଇ ଯାନବାହାନ ଚଳାଚଳ, ଅଟୋ-ବସ୍ ଚଳାଚଳ ବନ୍ଦ ରହିବ। ମଲ୍ ଏବଂ ମଲ୍ଟିପ୍ଲେକ୍ସ ବନ୍ଦ ରହିବ। କିଛି ଘରୋଇ କାର୍ଯ୍ୟାଳୟ ମଧ୍ୟ ତାଲା ପଡ଼ିବ। ଏହା ସହ ସିନେମା ହଲଗୁଡ଼ିକ ବନ୍ଦ ରହିବ। ପରୀକ୍ଷା ଯୋଗୁଁ କିଛି ଛାତ୍ରଛାତ୍ରୀ ସ୍କୁଲ ଯିବେ । ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ।

କର୍ଣ୍ଣାଟକ ବନ୍ଦର କାରଣ କ’ଣ ଥିଲା?

ଗତ ମାସରେ, ବେଲାଗାଭିରୁ ବାଲେକୁଣ୍ଡ୍ରି ଯାଉଥିବା ଏକ ବସ୍‌ର ଜଣେ କେଏସଆରଟିସି କଣ୍ଡକ୍ଟରଙ୍କୁ ମରାଠୀ ସମର୍ଥକ ସଂଗଠନଗୁଡ଼ିକ ସହିତ ଜଡିତ ଲୋକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା  । କାରଣ ସେ ସେମାନଙ୍କ ଭାଷା କହୁନଥିଲେ। ଏହି ଘଟଣା ପରେ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ କରିଦିଆଯାଇଥିଲା। କଣ୍ଡକ୍ଟରଙ୍କ ଉପରେ ଆକ୍ରମଣ ଦୁଇ ରାଜ୍ୟ ମଧ୍ୟରେ ଭାଷା ବିବାଦର ଦୀର୍ଘ ଇତିହାସ ଉପରେ ପୁଣି ଥରେ ବିତର୍କ ଆରମ୍ଭ କରିଛି। କନ୍ନଡ ଓକ୍କୁଟା ନାମକ ଅନେକ କନ୍ନଡ ସମର୍ଥକ ସଂଗଠନର ଏକ ମେଣ୍ଟ ଦ୍ୱାରା ଏହି ବନ୍ଦ ଆୟୋଜନ କରାଯାଇଛି। ସେହି ଅଞ୍ଚଳରେ ହିଂସାକୁ ଉସକାଇବା ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ବିପର୍ଯ୍ୟସ୍ତ କରିବା ପାଇଁ ମରାଠୀ ସମର୍ଥକ କର୍ମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସେ ମରାଠୀ ସମର୍ଥକ ସଂଗଠନଗୁଡ଼ିକୁ ନିଷିଦ୍ଧ କରିବା ବିଷୟରେ ମଧ୍ୟ କହିଛନ୍ତି।