ଗୋଷ୍ଠୀ ସଂଘର୍ଷ ପରେ ଖାଁ ଖାଁ ଗଂଜାମ ଜିଲ୍ଲାର ଖାରିପଲ୍ଲୀ, ଗିରଫ ଭୟରେ ଗାଁ ପାଲଟିଛି ପୁରୁଷଶୂନ୍ୟ

1 min read

ଆସିକା : କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଶୂନଶାନ ସାଙ୍ଗକୁ ନିରବୀ ଯାଇଛି ଖାରିପଲ୍ଲୀ । ହୋଇଯାଇଛି ପୁରୁଷ ଶୂନ୍ଯ । ଏ ହେଉଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖାରିପଲ୍ଲୀ ଗାଁରେ ଘଟି ଯାଇଥିବା ଜଘନ୍ୟ ହତ୍ଯାକାଣ୍ଡ ପରର ଦୃଶ୍ୟ । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନେଇଥିବା ବେଳେ ଭୟରେ କିଛି ପୁରୁଷ ଗାଁ ଛାଡି ବାହାରକୁ ପଳାଇଛନ୍ତି । ଫଳରେ ଘରେ ଚଳିବାକୁ କୌଣସି ଜିନିଷ ନଥିବାରୁ ଭୋକ ଉପାସରେ ଜୀବନ କାଟୁଛନ୍ତି ସମସ୍ତ ପରିବାର । ଦେଖନ୍ତୁ ଏ ହେଉଛନ୍ତି ୮୦ ବର୍ଷୀୟ ସୁଜନ ବେହେରା। ଚାଲିବାକୁ ଦେହରେ ଟିକେ ବି ବଳ ନାହିଁ । ପରିଣତ ବୟସରେ ସାହା ଭରସା କେହି ନଥିବା ବେଳେ ଏକ ମାତ୍ର ଭରସା ସାଜିଥିଲା ନାତି । ହେଲେ ଗୋଷ୍ଠୀ ସଂଘର୍ଷରେ ପୋଲିସ ନାତିକୁ ଗିରଫ କରି ନେବା ପରେ ସେ ଏବେ ଏକୁଟିଆ । ସେହିପରି ଗାଁର ସତ୍ୟବାଦୀ ବେହେରା । ଯକ୍ଷ୍ମାରେ ପଡି ମୃତ୍ୟୁ ସହ ଲଢ଼ୁଛନ୍ତି । ପ୍ରତିଦିନ ତାଙ୍କୁ ପୁଅ ମାନେ ମେଡିକାଲକୁ ନେଉଥିଲେ । ହେଲେ ଏବେ ଦୁଇ ପୁଅଙ୍କୁ ପୋଲିସ ଗିରଫ କରି ନେବା ପରେ ସେ ନିରୁପାୟ । ସବୁଠାରୁ ବଡ ଘଟଣା ହେଲା ମୃତକ ରମେଶ ବେହେରାଙ୍କ ସାନ ଭାଇକୁ ପୋଲିସ ବାନ୍ଧି ନେଇଥିବା ବେଳେ ଶୁଦ୍ଧିକ୍ରିୟା ପାଇଁ କେହି ନାହାଁନ୍ତି । ଅନ୍ୟପଟେ ଗାଁରେ ଲାଗି ରହିଥିବା ତିନିବର୍ଷ ଧରି ଗୁଣି ଗାରେଡି ନେଇ ଚାଲିଥିବା ବିବାଦକୁ ପୋଲିସ ହାଲୁକା ଭାବେ ନେଇଥିବାରୁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ଗ୍ରାମବାସୀ  ।

ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ମାରୁଛି ପଇଁତରା । ପୋଲିସ ଏହି ଘଟଣାରେ ଗାଁର ୧୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତ ଗୁରୁବାର ଦିନ ଗାଁର ସଭାପତିଙ୍କୁ ଗିରଫ କରିଛି । ଆଗକୁ ଗିରଫ ସଖ୍ୟା ଆହୁରି ଅଧିକ ଆଶଙ୍କା କରି ଗାଁର କିଛି ପୁରୁଷ ଭୟରେ ଅନ୍ୟତ୍ର ପଳାଇଛନ୍ତି । ତେଣୁ ପୂରା ଗାଁ ଏବେ ପୁରୁଷ ଶୁନ୍ୟ । ଅନ୍ୟପଟେ ମୃତକ ଖଦାଳଙ୍କ ଅନ୍ୟ ପୁଅମାନେ ସୁରଟରୁ ଗାଁକୁ ଫେରିଲେ ପୁଣି କୌଣସି ହିଂସାକାଣ୍ଡ ହେବ କି କଣ ତାକୁ ନେଇ ଆତଙ୍କିତ ଅବସ୍ଥାରେ ଗାଁର ମହିଳାମାନେ । ଅନ୍ୟପଟେ ଘଟଣାରେ ସଂପୃକ୍ତି ନଥିବା ଲୋକଙ୍କୁ ଗିରଫ ନ କରି ଛାଡ଼ି ଦେବାକୁ ନିବେଦନ କରିଛନ୍ତି ଗାଁର ମହିଳା l ଗତ ମଙ୍ଗଳବାର ଦିନ ତିନି ବର୍ଷର ଗୁଣି ଗାରେଡି ଘଟଣାକୁ କେନ୍ଦ୍ରକରି ଗଞ୍ଜାମ ବଡ଼ଗଡ ଖାରିପଲ୍ଲୀ ଗାଁରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ଦୁଇ ଗୋଷ୍ଠୀର ସଂଘର୍ଷ ମଧ୍ୟରେ ଚାଲି ଯାଇଛି ୩ ଜଣଙ୍କ ଜୀବନ। ଗ୍ରାମର ଗୋଟିଏ ଗୋଷ୍ଠୀର ଗୋଟିଏ ପରିବାର ବାପା ପୁଅଙ୍କ ଜୀବନ ମଧ୍ଯ ଚାଲି ଯାଇଛି। ଅନ୍ୟ ଗୋଷ୍ଠୀର ୪ ଜଣ ଆହତ ହୋଇ ଧରାକୋଟ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସେଠାରେ ୪୦ ବର୍ଷୀୟ ରମେଶ ବେହେରାଙ୍କ ମୃତ୍ୟୁ ହୋଇଥିଲା।