କଇଁଛ ଓ ଡଲଫିନମାନଙ୍କର ଏନ୍ତୁଡିଶାଳ ପାଲଟିଛି ଗହୀରମଥା

1 min read

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପାଇଁ ସୃଷ୍ଟି ହୋଇଛି ନୂଆ ସମ୍ଭାବନା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ନାଶୀ ୧ ବେଳାଭୂମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ନାଶୀ ୨ ସଂକୁଚିତ ହୋଇ ଯାଉଥିଲା ।  ଯାହା ଅଲିଭ ରିଡ଼ଲେ କଇଁଛ ମାନଙ୍କ ଅଣ୍ଡାଦାନ ପାଇଁ ବେଳାଭୂମି ପର୍ଯ୍ୟାପ୍ତ ହେଉନଥିଲା । ହେଲେ ୩୩ ବର୍ଷ ପରେ ଅଲିଭ ରିଡଲେ କଇଁଛ ମାନଙ୍କ ପାଇଁ ପ୍ରକୃତି ଦେଇଛି ବଡ ଉପହାର । ଏକୁକୂଳା ନାଶୀ ବେଳାଭୂମି ୪ କିମି ବ୍ୟାପି ବୃଦ୍ଧି ପାଇଛି । ଏହି ବେଳାଭୂମିରେ ଚଳିତବର୍ଷ ୨ ଲକ୍ଷ ୯୫ ହଜାର କଇଁଛ ସମୂହ ଅଣ୍ଡାଦାନ କରିଛନ୍ତି । ନାଶୀ ୨ରେ ୩ ଲକ୍ଷ ୧୧ ହଜାର କଇଁଛ ସମୂହ ଅଣ୍ଡାଦାନ କରିଛନ୍ତି । ଗତ ପାଞ୍ଚବର୍ଷ ରିପୋର୍ଟକୁ ଦେଖିଲେ ଚଳିତବର୍ଷ ରେକର୍ଡ ସଂଖ୍ୟକ ୬ ଲକ୍ଷ ୬ ହଜାର କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଖାଲି ଏତିକି ନୁହେଁ ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୦୫ ଟି ଡଲଫିନ ଗଣନା କରାଯାଇଛି ।  ଯାହା ପ୍ରକୃତିପ୍ରେମୀ ଓ ପରିବେଶବିତମାନଙ୍କ ଖୁସିର ଲହରୀ ଖେଳାଇଦେଇଛି ।

ସବୁଠାରୁ ବଡ କଥା ହେଲା ୪ ବର୍ଷ ତଳେ ଗହୀରମଥାକୁ ଆସିଥିବା ଅଲିଭ ରିଡଲେ କଇଁଛ ପୁଣି ଗହୀରମଥାକୁ ଆସିଛନ୍ତି । ଏହା ପ୍ରମାଣିତ କରୁଛି ଚଳିତବର୍ଷ ଚିହ୍ନଟ କରାଯାଇଥିବା ୧୦ ଅଲିଭ ରିଡ଼ଲେଙ୍କ ଡେଣାରେ ଲାଗିଥିବା ଧାତବ ଟ୍ୟାଗ । ଜୁ ଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ କଇଁଛ ମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୨୦୨୧ ମାର୍ଚ୍ଚରେ କଇଁଛଙ୍କ ଡେଣାରେ ଲଗାଇଥିଲା ଧାତବ ଟ୍ୟାଗ । ଆସନ୍ତୁ ନଜର ପକାଇବା ଗତ ୫ ବର୍ଷରେ ଗହୀରମଥାରେ ଅଭିଲ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ତଥ୍ଯ ଉପରେ- ୨୦୨୧ରେ ୩ ଲକ୍ଷ ୪୯ ହଜାର ୬୪୯ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ଥିବା ବେଳେ , ୨୦୨୨ ରେ ୫ ଲକ୍ଷ ୧ ହଜାର ୧୫୭ ,୨୦୨୩ ରେ ୫ ଲକ୍ଷ ୧୨ ହଜାର ୧୭୫, ୨୦୨୪ରେ ୩ ଲକ୍ଷ ୧ ହଜାର ୧୫୯ , ୨୦୨୫ରେ ୬ ଲକ୍ଷ ୬ ହଜାର କଇଁଛ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଗହୀରମଥାକୁ ସୁରକ୍ଷିତ ମନେକରି ନିଜର ବଂଶ ବୃଦ୍ଧି କରିବା ପାଇଁ ଅଲିଭ ରିଡ଼ଲେ କଇଁଛ ଆସିଥାନ୍ତି ମାତ୍ର ମାଛ ମାଫିଆଙ୍କ ଟ୍ରଲର ମାଡ଼ରେ ଅନେକ କଇଁଛଙ୍କ ପ୍ରାଣ ଯାଇଥାଏ । ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ କଇଁଛଙ୍କ ମୃତ୍ଯୁକୁ ଏଡାଇ ଦିଆଯାଇ ପାରନ୍ତା ।