ଅନାଥଙ୍କୁ ମିଳିଲା ହସଖୁସିର ପୂର୍ଣ୍ଣ ପରିବାର, ନିଃସନ୍ତାନଙ୍କ ଦମ୍ପତିଙ୍କ ମୁହଁରେ ହସ ଫୁଟାଇଲା କାରା

ସୁନ୍ଦରଗଡ :  ମହାରାଷ୍ଟ୍ର ପୁନେରୁ ଆସିଥିବା ଦମ୍ପତିଙ୍କ ବିବାହକୁ ୧୨ ବର୍ଷ ହେଲାଣି । ହେଲେ ସନ୍ତାନଟିଏ ନଥିବାରୁ ଆଜି ଏକ ଶିଶୁ କନ୍ଯା ଟିଏ ପାଇଁ ସେ ବହୁତ ଖୁସି । ସେହିପରି କଲିକତାର ଦମ୍ପତିଙ୍କ ମୁହଁରେ ଆଜି ଖୁସି କହିଲେ ନସରେ । କେବଳ ଏହି ଦୁଇ ଦମ୍ପତି ନୁହଁନ୍ତି ଆଜି ୭ ଜଣ ଦମ୍ପତି ବାପା ମାଆ ଭାବେ ପରିଚୟ ପାଇପାରିଛନ୍ତି । ଶିଶୁ ପାଇଲା ପରେ ତାଙ୍କର ପରିବାର ସଂପୂର୍ଣ୍ଣ ହେଲା ବୋଲି କହିଛନ୍ତି  ।

ଆଜି ଏହି ସବୁ ଦମ୍ପତିଙ୍କ ମୁହଁରେ ହସ ଫୁଟାଇଛି କାରା । ସେଣ୍ଟ୍ରାଲ ଆଡପସନ ରିସୋର୍ସ ଅଥରିଟି ବା କାରାରେ ଏହି ଦମ୍ପତି ମାନେ ଶିଶୁ ପୋଷ୍ୟ ଗ୍ରହଣ ପାଇଁ ଆବେଦନ କରିଥିଲେ । କିଏ ଚାରି ବର୍ଷ ତ ଆଉ କିଏ ସାତ ବର୍ଷ ଅପେକ୍ଷା ପରେ ଆଜି ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ସୁନ୍ଦରଗଡ ଜିଲ୍ଲା ବିଶ୍ରା ସ୍ଥିତ ଅନାଥାଳୟ ଦିଶା ସେଣ୍ଟରରୁ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ତିନି ଜଣ ପୁଅ ଏବଂ ୪ ଜଣ ଶିଶୁ କନ୍ୟାଙ୍କୁ ଆଜି ତାଙ୍କ ବାପା ମାଆ ଓ ପରିବାର ମିଳିଛି । ଶିଶୁକୁ ସମସ୍ତ ଦମ୍ପତି ଖୁସିରେ ଗ୍ରହଣ କରିଛନ୍ତି । କେବଳ ଏ ୭ ଦମ୍ପତି ନୁହଁନ୍ତି , କାରା ଅନେକ ନିଃସନ୍ତାନଙ୍କୁ ବାପା ମା ହେବାର ସୁଯୋଗ ଦେଇଛି । ଏହା ସହ ଅନାଥଙ୍କୁ ପରିବାର ଯୋଗାଇଛି ।