ଡିଲିମିଟେସନ ବୈଠକରେ ଯୋଗ ଦେବ ବିଜେଡି

ଭୁବନେଶ୍ବର : ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବା ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଚେନ୍ନାଇ ଗଲେ ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା । ଆସନ୍ତାକାଲି  ଏହି ବୈଠକ ବସୁଥିବାବେଳେ ଏଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ରାଜ୍ୟର ପ୍ରତିନିଧି ମଧ୍ଯ ଯୋଗଦେବେ । କ୍ଷତିଗ୍ରସ୍ତ ରାଜ୍ଯଗୁଡିକ ହେଲେ ତାମିଲନାଡୁ, କର୍ଣ୍ଣାଟକ ,ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡିଶା । ତେବେ ଆଜି ନବୀନ ଅମର ଓ ସଂଜୟଙ୍କ ନାଁ ମନୋନୀତ କରିଥିଲେ । ଏ ନେଇ ଦଳ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତାମିଲନାଡ଼ୁ ମୁଖ୍ଯମନ୍ତ୍ରୀ ଏମ କେ ଷ୍ଟାଲିନ ଏହି ବୈଠକ ଡକାଇଛନ୍ତି । କିଛି ଦିନ ତଳେ ତାମିଲନାଡୁ ମୁଖ୍ଯମନ୍ତ୍ରୀଙ୍କ ଦୁଇ ଜଣିଆ ପ୍ରତିନିଧି ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ । ତେବେ ଚେନ୍ନାଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଛନ୍ତି, ବୈଠକ ସରିଲା ପରେ ଡିଲିମିଟେସନର ରୂପରେଖ ଆସିବ । ଓଡି଼ଶା ସ୍ବାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ ବୋଲି କହିଛନ୍ତି ଅମର ଓ ସଂଜୟ ।