ଆଗାମୀ ରଥଯାତ୍ରାକୁ ନେଇ ପ୍ରସ୍ତୁତ ଭିଡିଓରେ ବ୍ୟତିକ୍ରମ

ନନ୍ଦିଘୋଷ ବ୍ୟୁରୋ : ଆଗାମୀ ରଥଯାତ୍ରାକୁ ନେଇ ପ୍ରସ୍ତୁତ କରାଯାଇଛି ଏକ ଭିଡିଓ । ଯେଉଁ ଭିଡିଓ ଜିଲ୍ଲା ପ୍ରଶାସନ ତାର ଜିଲ୍ଲା ସୂଚନା ଅଧିକାରୀଙ୍କ ଗୃପରେ ଦେଇଛି। ହେଲେ ଏହି ଭିଡିଓରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ବଳଭଦ୍ରଙ୍କୁ ବିରାଜମାନ କରାଯାଇଥିବା ବେଳେ ବଳଭଦ୍ରଙ୍କ ତାଳଦ୍ୱଜ ରଥରେ ଜଗନ୍ନାଥ ମହାପ୍ରଭୁଙ୍କୁ ବିରାଜମାନ କରାଯାଇଛି। ଏଭଳି ଭୁଲ ଭିଡ଼ିଓ ଜିଲ୍ଲାପ୍ରଶାସନ ପ୍ରସ୍ତୁତ କରି ଏହାକୁ ପ୍ରଦାନ କରାଯାଇଥିବା ବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ତ୍ରୁଟିପୂର୍ଣ୍ଣ ଭିଡିଓ ଗୋଟେ ମୋବଇଲରୁ ଆଉ ଗୋଟେ ମୋବଇଲକୁ ଘୁରି ବୁଲୁଥିବା ବେଳେ ଜଗନ୍ନାଥ ରଥଯାତ୍ରାକୁ ନେଇ ବିଭ୍ରାନ୍ତିକର ତଥ୍ୟ ପରିପ୍ରକାଶ ପାଇଛି । ଏଥିରେ ରାଜ୍ୟସରକାରଙ୍କ ଲୋଗୋ ଏବଂ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ମଧ୍ୟ ଲଗାଯାଇଛି । ତେଣୁ ସରକାରଙ୍କ ପକ୍ଷରୁ ଏଭଳି ବିଭ୍ରାନ୍ତିକର ତଥ୍ୟ ଥାଇ ଭିଡିଓକୁ ସାର୍ବଜନୀନ କରିବା କେତେଦୂର ଠିକ ତାକୁ ନେଇ ପ୍ରଶ୍ନ ଉଠିଛି ।