ଜଳର ଅଭାବ ରୋଗର କାରଣ: କମ୍ ପାଣି ପିଇଲେ ଷ୍ଟ୍ରୋକ ଆଶଙ୍କା ବଢ଼ିବା ସହ ସୃଷ୍ଟି କରିଥାଏ ଏକାଧିକ ସମସ୍ୟା

କଥାରେ ଅଛି ଜଳ ହିଁ ଜୀବନ । ଏକ ସୁସ୍ଥ ଶରୀର ପାଇଁ ପ୍ରଚୁର ମାତ୍ରାରେ ଜଳପାନ ଅପରିହାର୍ଯ୍ୟ । ବିଶେଷ କରି ଗରମ ସିଜିନରେ ଜଳର ଆବଶ୍ୟକତା ବହୁମାତ୍ରାରେ ବଢ଼ିଯାଇଥାଏ । ଏପରି ସ୍ଥିତିରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ନ ପିଇବା କାରଣରୁ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଏହି କାରଣରୁ ମୁଣ୍ଡବ୍ୟଥା, ମୁଡ଼ ସ୍ବିଇଙ୍ଗସ ସମସ୍ୟା ହୋଇପାରେ । ଆପଣମାନେ ଯଦି କମ୍ ପାଣି ପିଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏଥିପାଇଁ ଆପଣଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।
ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବକ, ମାନବ ଶରୀରର ପାଖପାଖି ୬୦ ପ୍ରତିଶତ ଅଂଶ ପାଣି ଅଟେ । ସେଥିପାଇଁ ସେଲ୍ସକୁ ଇନ୍ଧନ ଦେବା ଓ ଶରୀରକୁ ସକ୍ରିୟ ରଖିବା ପାଇଁ ହାଇଡ୍ରେସନ ସ୍ତରକୁ ବଜାୟ ରଖିବା ଜରୁରୀ ହୋଇଥାଏ । ବର୍ଷର ସବୁ ସିଜିନରେ ଜଳର ଆବଶ୍ୟକତା ରହିଥାଏ । ମାତ୍ର ଗରମ ଦିନେ ଜଳର ଚାହିଦା ବହୁ ମାତ୍ରାରେ ବଢ଼ିଯାଇଥାଏ । ତାତି ଦିନରେ ହେଲଦୀ ରହିବା ପାଇଁ ହାଇଡ୍ରେଟ ରହିବା ଅତ୍ୟନ୍ତ ଜରୁରୀ । ମାତ୍ର ଅନେକ ସମୟରେ କିଛି ଲୋକ ପାଣି ପିଇବାକୁ ଅଣଦେଖା କରିଥାନ୍ତି । ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ ।
ଶରୀରରେ ପାଣିର ଅଭାବ ହେଲେ ସାଧାରଣ ଭାବେ ଏନର୍ଜୀ ସ୍ତରରେ ହ୍ରାସ ପରିଲକ୍ଷିତ ହୋଇଥାଏ । କାରଣ ପାଣି ଆମ ବ୍ରେନକୁ ଆଲର୍ଟ ରଖିବା ଓ ଶରୀରକୁ ବାଲାନ୍ସ ରଖିବାରେ ସହାୟକ ହୋଇଥାଏ । ଯଦି ଆପଣ ଅଧିକ ପାଣି ନ ପିଇବେ, ତେବେ ନିଜକୁ ସନ୍ଧ୍ୟା ପର୍ଯ୍ୟନ୍ତ ଆକ୍ଟିଭ ରଖିବା ପାଇଁ ଥକ୍କା ଅନୁଭବ ହୋଇଥାଏ । ଆମ ଶରୀର ଓ ବ୍ରେନ ଠିକ୍ ଭାବେ କାମ କରିବା ପାଇଁ ପାଣିର ଆବଶ୍ୟକତା ରହିଥାଏ । କମ୍ ପାଣି ପିଇଲେ ମେମୋରୀର କାର୍ଯ୍ୟକ୍ଷମତା ଉପରେ ନେଗେଟିଭ୍ ପ୍ରଭାବ ପଡ଼ିଥାଏ ।
ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁରୋସାଇନ୍ସରେ ୨୦୨୦ରେ ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ମୁତାବକ, ଡିହାଇଡ୍ରେସନ ଦ୍ବାରା ଷ୍ଟ୍ରୋକ ଆଶଙ୍କା ବଢ଼ିଯାଇଥାଏ । କେବଳ ଏତିକି ନୁହେଁ, ଏହି କାରଣରୁ ଆପଣଙ୍କୁ ଷ୍ଟ୍ରୋକ ହେଲେ, ରିକଭରି ହେବାକୁ ସମୟ ଲାଗିପାରେ । ନିଜର କାର୍ଡିଓଭାସ୍କୁଲାର ସିଷ୍ଟମକୁ ସୁଦୃଢ଼ ରଖିବା ପାଇଁ ହେଲେ ଆପଣ କେତେ ପାଣି ପିଉଛନ୍ତି ତା’ ଉପରେ ଧ୍ୟାନ ଦେବା ଆବଶ୍ୟକ । ପାଣି କମ୍ ପିଇଲେ ଆମର ଚର୍ମ ମଧ୍ୟ ପ୍ରଭାବିତ ହୋଇଥାଏ । କମ୍ ପାଣି ପିଇଲେ ବୟସ ବଢ଼ିବାର ପ୍ରକ୍ରିୟା ଦ୍ରୁତ ହୋଇଥାଏ ।