ସହଜ ନଥିଲା ଏହି ଯାତ୍ରା: କଳ୍ପନା ଚାଓ୍ବଲାଙ୍କ ପରି ବିପଦକୁ ସାମ୍ନା କରିଥିଲେ ସୁନୀତା ଓ୍ବିଲିୟମ୍ସ

1 min read

ନୂଆଦିଲ୍ଲୀ: ସୁନୀତା ଓ୍ବିଲିୟମ୍ସ ଦୀର୍ଘ ୯ ମାସ ଧରି ମହାକାଶରେ ସମୟ ବିତାଇବା ପରେ ଶେଷରେ ଧରିତ୍ରୀରେ ପାଦ ରଖିଥିଲେ । ତଡ଼କେ ସ୍ପସଏକ୍ସର ଡ୍ରାଗନ କ୍ୟାପସୁଲ ସୁନୀତାଙ୍କ ସହିତ ୪ ଜଣ ମହାକାଶଚାରୀଙ୍କୁ ଫ୍ଲୋରିଡ଼ାର ସମୁଦ୍ରରେ ଲ୍ୟାଣ୍ଡିଂ କରିଥିଲା । ମହାକାଶରୁ ଧରିତ୍ରୀ ପର୍ଯ୍ୟନ୍ତ ୧୭ ଘଣ୍ଟାର ଯାତ୍ରା ଥିଲା । ମାତ୍ର ଲ୍ୟାଣ୍ଡିଂର ଏହି ପ୍ରକ୍ରିୟାରେ ନିଃଶ୍ବାସ ଅଟକାଇଦେବା ଭଳି ୭ ମିନିଟର ମୁହୂର୍ତ୍ତ ଥିଲା । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ (ISS) ରୁ ପୃଥିବୀ ପର୍ଯ୍ୟନ୍ତ ୧୭ ଘଣ୍ଟାର ଯାତ୍ରା ବେଶ ଚ୍ୟାଲେଞ୍ଜିଂପୂର୍ଣ୍ଣ ରହିଥିଲା । ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତା’ର ତାପମାତ୍ରା ୧୯୦୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଇଥିଲା । ଏହା ସେହି ସମୟ ଥିଲା, ଯେତେବେଳେ କି ୭ ମିନିଟ ପାଇଁ କମ୍ୟୁନିକେସନ ବ୍ଲାକଆଉଟ ହୋଇଯାଇଥିଲା । ଏହା ସାମାନ୍ୟ ହେଲେ ହେଁ ଚ୍ୟାଲେଞ୍ଜିଂପୂର୍ଣ୍ଣ ହୋଇଥାଏ । ସେହି ସମୟରେ ନାସାର ସ୍ପେସକ୍ରାଫ୍ଟ ସହ ସମ୍ପର୍କ ରହିନଥାଏ ।

ସ୍ପେସଏକ୍ସର ଡ୍ରାଗନ ସହ ମଧ୍ୟ ଏପରି ହୋଇଥିଲା । ତେବେ ୭ ମିନିଟ ପରେ ବୁଧବାର ପାଖାପାଖି ୩.୨୦ ସମୟରେ ସ୍ପେସକ୍ରାଫ୍ଟ ସହ ପୁନର୍ବାର ସମ୍ପର୍କ ସ୍ଥାପିତ ହୋଇଥିଲା । ସାତ ମିନିଟର ଏହି ବ୍ଲାକଆଉଟର ସମୟ କୌଣସି ସ୍ପେସକ୍ରାଫ୍ଟର ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ପାଇଁ ବହୁତ ନିର୍ଣ୍ଣାୟକ ହୋଇଥାଏ । ଏହି ଅବସରରେ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ହେବା ଫଳରେ ସ୍ପେସକ୍ରାଫ୍ଟ କ୍ରାସ ହେବାର ସମ୍ଭାବନା ବଢ଼ିଯାଇଥାଏ । ୨୦୦୩ ମସିହା ଫେବୃଆରୀ ୧ରେ ନାସାର ମହାକାଶ ଯାନ କଲମ୍ବିଆ ସହ ମଧ୍ୟ ଏପରି ଘଟିଥିଲା । ସେତେବେଳେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରକେ ମହାକାଶଯାନ କ୍ରାଶ ହୋଇଯାଇଥିଲା । ଫଳରେ କଳ୍ପନା ଚାଓ୍ବଲା ଦୁର୍ଘଟଣାର ଶିକାର ହୋଇଥିଲେ । ତେଣୁ ଉକ୍ତ ସମୟ ଯେ କୌଣସି ସ୍ପେସକ୍ରାଫ୍ଟ ପାଇଁ ବହୁତ ସତର୍କପୂର୍ଣ୍ଣ ହୋଇଥାଏ । ଏହି ବିପଦକୁ ପାର କରି ସ୍ପେସକ୍ରାଫ୍ଟ ସମୁଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା ଓ ଜଣ ଜଣ କରି ୪ ଜଣ ମହାକାଶଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଏପରି ଭାବେ ମହାକାଶରେ ୨୮୬ ଦିନ ବିତାଇବା ପରେ ସୁନୀତା ଓ ତାଙ୍କର ସାଥୀମାନେ ଧରିତ୍ରୀର ତାଜା ବାୟୁରେ ପୁଣି ଥରେ ନିଃଶ୍ବାସ ନେଇଥିଲେ ।