ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି: ପ୍ୟାନ ପରେ ଏବେ ଭୋଟର ଆଇଡି ମଧ୍ୟ ଆଧାର ସହ ଲିଙ୍କ ହେବ

1 min read

ନୂଆଦିଲ୍ଲୀ: ଭୋଟର ଆଇଡିକୁ ଆଧାର ସହ ଯୋଡ଼ିବା ପାଇଁ ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଓ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଭୋଟର ଆଇଡିକୁ ଆଧାର ସହ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ସମ୍ବିଧାନର ଅନୁଚ୍ଛେଦ ୩୨୬ ଓ ଜନପ୍ରତିନିଧି ଅଧିନିୟମର ଧାରା ବିଷୟରେ ଉଲ୍ଲେଖ କରାଯାଇଛି । ଏହି ଦୁଇ ଡକ୍ୟୁମେଣ୍ଟକୁ ଯୋଡ଼ିବାକୁ ଅନୁମତି ମିଳିବା ପରେ ଏବେ ଆଧାର ଓ ଭୋଟର ଆଇଡି (EPIC)କୁ ଯୋଡ଼ିବାର ରାସ୍ତା ପରିସ୍କାର ହୋଇଯାଇଛି । ଏହା ପୂର୍ବରୁ ସରକାର ପ୍ୟାନ କାର୍ଡକୁ ଆଧାର ସହ ଯୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।

ନିର୍ବାଚନ ଆୟୋଗ ୧୯୫୦ର ଜନପ୍ରତିନିଧି ଅଧିନିୟମର ଧାରା ୩୨୬ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ବନ୍ଧିତ ନିଷ୍ପତ୍ତି ଅନୁସାରେ, ଇପିଆଇସିକୁ ଆଧାର ସହ ଯୋଡ଼ିବାକୁ ପଦକ୍ଷେପ ଗ୍ରହଣ କରିବେ । ସିଇସି ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଗୃହରେ ବହୁ ଅଧିକାରୀ ଓ ଟେକନିକ ବିଶେଷଜ୍ଞ ବୈଠକରେ ସାମିଲ ହୋଇଥିଲେ । ଭାରତର ସମ୍ବିଧାନର ଅନୁଚ୍ଛେଦ ୩୨୬ ଅନୁସାରେ, ମତଦାନର ଅଧିକାର କେବଳ ଭାରତୀୟ ନାଗରିକଙ୍କୁ ଦିଆଯାଇପାରେ । ଆଧାର କାର୍ଡ କେବଳ ଜଣେ ବ୍ୟକ୍ତିଙ୍କ ପରିଚୟ ସ୍ଥାପିତ କରିପାରେ । ଆଗାମୀ ୩ ମାସ ଭିତରେ ନକଲି ନମ୍ବର ଥିବା ଭୋଟର ଆଇଡି ପାଇଁ ନୂଆା ଇପିଆଇସି ନମ୍ବର ଜାରି କରାଯିବ ବୋଲି ନିକଟରେୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ । ଡୁପ୍ଲିକେଟ ନମ୍ବର ହେବାର ଅର୍ଥ ନକଲି  ଭୋଟର ନୁହେଁ ବୋଲି କୁହାଯାଇଥିଲା । ଭୋଟର ଲିଷ୍ଟରେ ଗଡ଼ବଡ଼ିକୁ ଦୂର କରିବା ଓ ସ୍ବଚ୍ଛତା ଆଣିବା ଓ ଫର୍ଜି ଭୋଟରଙ୍କୁ ଚିହ୍ନଟ କରିବାରେ ଏହି ପଦେକ୍ଷପ ସହାୟକ ହେବ ବୋଲି କୁହାଯାଇଥିଲା ।