ଦୀର୍ଘ ପ୍ରତୀକ୍ଷାର ଅବସାନ: ପ୍ରାୟ ୯ ମାସ ପରେ ପୃଥିବୀ ଫେରିଲେ ମହାକାଶଚାରିଣୀ ସୁନୀତା ୱିଲିୟମ୍ସ

1 min read

ପ୍ରତୀକ୍ଷାର ଅବସାନ। ପ୍ରାୟ ୯ ମାସ ପରେ ପୃଥିବୀ ଫେରିଲେ ମହାକାଶଚାରିଣୀ ସୁନୀତା ୱିଲିୟମ୍ସ। ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ଆମେରିକାର ଫ୍ଲୋରିଡ଼ାରେ ଅବତରଣ କରିଛନ୍ତି ସୁନୀତା, ବଚ ୱିଲମୋର, ଅନ୍ୟ ୨ ସାଥୀ ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋର୍ବୁନୋଭ। ମହାକାଶଚାରୀଙ୍କୁ ଆଣିବାକୁ ଯାଇଥିଲା ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ। ପ୍ରାୟ ୯ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ ସୁନୀତା ଏବଂ ୱିଲମୋର। ଗତ ବର୍ଷ ଜୁନ ୫ ତାରିଖରେ ସେମାନେ ISS କୁ ଯାଇଥିଲେ। ଏକ ମରାମତି କାମ କରିବାକୁ ଯାଇଥିଲେ ସୁନୀତା ଓ ବଚ୍ ।

କିଛି ଦିନରେ କାମ ଶେଷ କରି ସେମାନେ ବୋଇଂ ଷ୍ଟାରଲାଇନର୍ ରେ ଫେରିବାର ଥିଲା। କିନ୍ତୁ ଏହି ମହାକାଶଯାନରେ ତ୍ରୁଟି ଦେଖାଯିବାରୁ ସେମାନେ ଫେରି ପାରିନଥିଲେ। ଏପରିକି ସେମାନଙ୍କ ଫେରିବାକୁ ନେଇ ବହୁତ ଅନିଶ୍ଚିତତା ଦେଖା ଦେଇଥିଲା। ପୃଥିବୀ ପୃଷ୍ଠରୁ ଆଉ ଏକ ମହାକାଶଯାନ ପଠାଇବାରୁ ବ୍ୟବସ୍ଥା ହୋଇଥିଲା। ଶେଷରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସଂସ୍ଥା ପକ୍ଷରୁ ଡ୍ରାଗନକୁ ପଠା ଯାଇଥିଲା। ଗତ ମାର୍ଚ୍ଚ ୧୫ ତାରିଖରେ ସ୍ପେସଏକ୍ସରେ ଯାଇଥିଲେ ନାସାର ଆନ୍ନେ ମାକଲେନ, ନିକୋଲ ଆୟର୍ସ, ଜାପାନର ତାକୁୟୁ ଓନିସି ଓ ରୁଷର କିରିଲ ପେସକୋଭ । ମହାକାଶରେ ସର୍ବାଧିକ କାଳ ରହିଥିବା ଯାତ୍ରୀ ହେଉଛନ୍ତି ରୁଷୀୟ କସମୋନାଟ ଭାଲେରି ପୋଲ୍ଯାକୋଭ । ସେ ମୋଟ ୪୩୭ ଦିନ ମହାକାଶରେ ରହିଥିଲେ । ସେହିପରି ଆମେରିକୀୟ ଆଷ୍ଟ୍ରୋନଟ ଫ୍ରାଙ୍କ ରୁବିଓ ଦ୍ବିତୀୟ ସର୍ବାଧିକ ୩୭୧ ଦିନ ରହିଥିଲେ ।