ପାରାଦୀପକୁ ଲୁହାପଥର ଚୋରା ଚାଲାଣ କରୁଥିଲେ ସୁନ୍ଦରୀ ଗ୍ୟାଙ୍ଗ, ମାଡିବସିଲା ପୋଲିସ୍

ଢେଙ୍କାନାଳ: ଢେଙ୍କାନାଳ ବାଲିମି ପୋଲିସ ହାତରେ ଲେଡି ଡନ୍ । ଗତକାଲି ତାଳଚେରରୁ ଜଣେ ମହିଳା ଗିରଫ ହୋଇଥିବାବେଳେ ଆଜି ଆଉଜଣକୁ ଗିରଫ କରିଛି ପୋଲିସ୍ । ଟ୍ରାନ୍ସପୋର୍ଟ କରି ରୁଙ୍ଗଟା କାରଖାନାରୁ ପାରାଦୀପକୁ ଲୁହାପଥର ଚୋରା ଚାଲାଣ କରୁଥିଲେ ଏହି ସୁନ୍ଦରୀ ଗ୍ୟାଙ୍ଗ । ଲୁହାପଥର ଲୁଟ କରି ମଙ୍ଗୁଳିରେ ବିକ୍ରି କରୁଥିଲେ । ଚୋରା ଲୁହା ପଥର ମୂଲ୍ୟ ଦେଢ଼ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ମହିଳାଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ଏହା ସହିତ ଟ୍ରକ୍ ଭଡା ନେଇ ବହୁ ବ୍ୟବସାୟୀକୁ ଠକି ଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଆହୁରି କେତେ ମହିଳା ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଏସପି । ଗ୍ୟାଙ୍ଗର ମୁଖ୍ୟ ଲେଡି ଡନଙ୍କ ନାଁ ସନ୍ତୋଷ ମହାନ୍ତି । ସନ୍ତୋଷ ଙ୍କ ଘର ତାଳଚେର ଡେରା କଲୋନୀରେ । ଏହି ଗ୍ୟାଙ୍ଗ ଢେଙ୍କାନାଳ, ପାରାଦୀପ, କଟକ, ଭୁବନେଶ୍ୱର, ତାଳଚେର ଟ୍ରକ୍ ମାଲିକଙ୍କୁ କରୁଥିଲେ ଟାର୍ଗେଟ । ୨୦ କୋଟିରୁ ଉର୍ଦ୍ଧ୍ବ ଲୁହା ପଥର ବିକ୍ରି କରିଥଇବା ପୋଲିସ ସୂଚନା ପାଇଛି । ପୂର୍ବରୁ ମହିଳା ଜଣଙ୍କ ଚୋରା କୋଇଲା ବେପାର ମଧ୍ୟ କରୁଥିଲେ । ନିଜ ସୁନ୍ଦର ଚେହେରା ଦେଖାଇ ଟ୍ରକ୍ ମାଲିକ ମନକୁ କରୁଥିଲେ ଟାର୍ଗେଟ । ଦୁଇ ମହିଳାଙ୍କୁ ଅଟକ ରଖିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି । କାରଖାନା ଭିତରୁ କେମିତି ମାଲ୍ ପଦାକୁ ଆସୁଥିଲା ? କେମିତି ଯାଉଥିଲା କେମିତି ବିକ୍ରି ହେଉଥିଲା ? ଆଉ କିଏ କିଏ ସଂପୃକ୍ତ ଅଛନ୍ତି ? ତାର ତଦନ୍ତ ନିଜେ ଏସପି କରିଛନ୍ତି । ଖୁବଶୀଘ୍ର ପୁରା ଗ୍ୟାଙ୍ଗ ପଦାକୁ ଆସିବ ବୋଲି କହିଛନ୍ତି ଏସପି ଅଭିନବ ଶୋନକର ।