ରାଜ୍ୟରେ ସରିନାହିଁ ବୃହତ ପାନୀୟ ଜଳ ପ୍ରକଳ୍ପ କାମ, କାମ ମନ୍ଥର ଗତିରେ ହେଉଥିବା ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ:  ଖରା ଦିନେ ରାଜ୍ୟର ବୃହତ ପାନୀୟ ଜଳ ପ୍ରକଳ୍ପ କାମ ସାରିବାର ଆବଶ୍ୟକତା ରହିଛି । ହେଲେ ଏ ଯାଏଁ ଏହା ସରିନଥିବା ନେଇ ପ୍ରଶ୍ନୋତ୍ତର କାଳରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ରମେଶ ବେହେରା । କାମ ମନ୍ଥର ଗତିରେ ହେଉଥିବା ନେଇ ଅଭିଯୋଗ କରି ସେ ସମୟସୀମା ବୃଦ୍ଧି କେବେ ଯାଏଁ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ କହିଥିଲେ, ଯେଉଁଠି ପ୍ରକଳ୍ପ କାମ ସରିନି, ସେଠି ସୌର ଚାଳିତ ବ୍ୟବସ୍ଥା, ନୂଆ ନଳକୂପ, ନଳକୂପ ମରାମତି, ପାଣି ଟ୍ୟାଙ୍କର, ଜିଲ୍ଲା ପରିମଳ ମିଶନ ପାଣ୍ଠି, ବସୁଧା ପାଣ୍ଠି ଓ ଟ୍ୟୁବୱେଲ ଯୋଗେ ପାଣି ମିଳୁଛି । କିନ୍ତୁ ଏହା ଉଦବେଗଜନକ । ତେବେ ଯାହା ସହ ଚୁକ୍ତି ହୋଇଥିଲା ସେମାନଙ୍କର ନୂଆ ସରକାର ସମୟରେ ସମୟସୀମା ସରିଥିଲା । ସେମାନଙ୍କୁ ଫାଇନ ପକାଯାଇଛି । ଆସନ୍ତା ୭ ଦିନ ଭିତରେ ସେମାନଙ୍କୁ ଡକାଯାଇ ତାଗିଦ କରାଯିବ । ଯଦି କାମ ନ କରନ୍ତି, ତେବେ କଳା ତାଲିକାଭୁକ୍ତ ହେବେ । ଧିମା କାମ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାର୍ଚ୍ଚ ସୁଦ୍ଧା କାମ ସରିବାର ଥିଲା । ଏବେ ଯାଏଁ ୭୨ ରୁ ୫୨ ପ୍ରକଳ୍ପ ସରିଛି । ବାକି କାମ ଚଳିତ ଜୁନ ସୁଦ୍ଧା ସରିବ । ଏହା ପରେ ଆଉ ୪୦ ପ୍ରକଳ୍ପ କାମ ଡିସେମ୍ବର ୨୦୨୬ ସୁଦ୍ଧା ସରିବ । କାମର ସମୟସୀମା ଆଉ ବୃଦ୍ଧି ହେବନି । ଏତଲା ପଂଚାୟତିରାଜ ବିଭାଗ କରିବ ବୋଲି ଗୃହକୁ ଜଣାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।