ପ୍ରେମ ପାଇଁ ଦେହରେ ପେଟ୍ରୋଲ ଢ଼ାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୟାଗଡ: ପ୍ରେମ ପାଇଁ ଦେହରେ ପେଟ୍ରୋଲ ଢ଼ାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ । ପ୍ରେମ ପାଇଁ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳିହୋଇ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣଙ୍କ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡ଼ା ଗାଁର ଲିଟୁଆ ଦାସ ବୋଲି ଜଣାପଡ଼ିଛି । ଲିଟୁଆ ଇଟାମାଟି ଥାନା ଅଞ୍ଚଳର ଜଣେ ଯୁବତୀକୁ ୪ ବର୍ଷ ହେବ ଭଲ ପାଉଥିଲେ । ଆଜି ଯୁବକ ଜଣକ ଯୁବତୀଙ୍କ ଘରେ ପହଞ୍ଚିଥିଲେ । ଝିଅର ବଡ଼ ଭଉଣୀ ଓ ସାନ ଭଉଣୀ ଉକ୍ତ ଯୁବକକୁ ଗାଳିଗୁଲଜ କରିଥିଲେ । ଫଳରେ ଯୁବକ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୁବକ ଜଣଙ୍କର ଶରୀରର ୮୦ ଭାଗ ପୋଡ଼ିଯାଇଛି । ଖବର ପାଇ ଘଟଣାସ୍ଥଳରେ ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।