ପଦାରେ ପଡିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପାରଗତା,ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ପୁଣି ପ୍ରଶ୍ନପତ୍ର ଲିକ । ପଦାରେ ପଡିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପାରଗତା । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର । ପରୀକ୍ଷାର 2ରୁ 3 ଦିନ ପୂର୍ବରୁ ୟୁଟ୍ୟୁବରେ ଅପଲୋଡ଼ ହେଉଛି ପ୍ରଶ୍ନ ପତ୍ର ସହିତ ଉତ୍ତର। ଯାହାକୁ ନେଇ ପୁଣି ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅପାରଗତା ପଦାରେ ପଡିଛି । ଭଦ୍ରକ ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଓ ତାର ଉତ୍ତର 2 ରୁ 3 ଦିନ ପୂର୍ବରୁ ଆସି ଯାଉଛି ୟୁଟ୍ୟୁବ ଚ୍ୟାନେଲରେ । ଯାହା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକଙ୍କୁ ଆଶ୍ଚର୍ଯ୍ୟ କରିଛି। ଛାତ୍ରଛାତ୍ରୀ ମାନେ ବର୍ଷ ତମାମ ଯାହା ପଢ଼ନ୍ତି ତାର ଉତ୍କର୍ଷତା ଦେଖାଇବା ପାଇଁ ବାର୍ଷିକ ପରୀକ୍ଷା କରାଯାଇଥାଏ। ସେଥିପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାନ୍ତି। ତେବେ ଚଳିତ ବର୍ଷ ପିଲା ମାନଙ୍କୁ ଆଉ ପରିଶ୍ରମ କରିବାକୁ ପଡୁ ନାହିଁ । ଆଜିର ପରୀକ୍ଷାର ଉତ୍ତର ଗତ କାଲି ଠାରୁ ଗୋଟିଏ ନିର୍ଧିଷ୍ଟ ୟୁଟ୍ୟୁବ ଚ୍ୟାନେଲରେ ଆସି ଯାଉଛି । ଆଉ ପିଲା ତାହା ଦେଖି ଓ ଲେଖି ପରୀକ୍ଷା କେନ୍ଦ୍ର କୁ ଆସି ପରୀକ୍ଷା ସମୟ ଶେଷ ହେବା ପୂର୍ବରୁ ଉତ୍ତର ଲେଖି ପଳାଇ ଯାଉଛନ୍ତି।ଏମିତି ଘଟଣା ଗତ ତିନି ଦିନ ହେବ ଦେଖା ଯାଉ ଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଆଜି ସପ୍ତମ ଶ୍ରେଣୀର ଗଣିତ ପରୀକ୍ଷା ଥିଲା। ଯାହା ପ୍ରଶ୍ନ ପଡିଥିଲା ତାର ଉତ୍ତର ଗତ 3 ଦିନ ପୂର୍ବରୁ ନଲେଜ୍ ଓ୍ବିଥ୍ ନିଲୁ ନାମକ ୟୁଟ୍ୟୁବ ଚ୍ୟାନେଲରେ ଆସିଥିଲା । ଯାହାକୁ ନେଇ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ଏହି ପ୍ରଶ୍ନପତ୍ର ପରୀକ୍ଷାର ତିନି ଦିନ ପୂର୍ବରୁ ସଂପୃକ୍ତ ଚ୍ୟାନେଲ ହାତକୁ ଗଲା ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି।

ଯଦି ପ୍ରଶ୍ନ ପତ୍ର ଲିକ କରିବାର ଥିଲା ତେବେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କାହିଁକି ପରୀକ୍ଷା କରାଉଛି ତାହା ମଧ୍ୟ ପ୍ରଶ୍ନ ଉଠିଛି । କେବଳ ଅଙ୍କ ନୁହଁ ଆଗାମୀ ଦିନରେ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନ ୟୁଟ୍ୟୁବ ଚାନେଲରେ ଅପଲୋଡ଼ ହୋଇଥିବା ବେଳେ ତାହା ବି ଚଳିତ ବର୍ଷର ପ୍ରଶ୍ନପତ୍ର ନୁହଁ ତ ବୋଲି ପ୍ରଶ୍ନ ଉଠିଛି । ଯାହାକୁ ନେଇ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଅବିଭାବକ ମହଲରେ ଦାବି ହୋଇଛି। ଅନ୍ୟପଟେ ଘଟଣା ସଂପର୍କରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରାଯିବା ପରେ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ଦେଇନାଥିଲେ ମଧ୍ୟ ଘଟଣା ସଂପର୍କରେ ଯାଞ୍ଚ କରାଯିବାର ପ୍ରତିଶୃତି ଦେଇଛନ୍ତି।