ଲାଇସେନ୍ସ ରିନୁଆଲ କରିବାକୁ ଯୋଗାଣ ଅଧିକାରୀ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ

ପାତ୍ରପୁର: ଚାଉଳ ବଣ୍ଟନ ପାଇଁ ଲାଇସେନ୍ସ ପାଇଥିବା ଏସଏଚଜି ଗ୍ରୁପ ପାଖରୁ ଯୋଗାଣ ଅଧିକାରୀ ନେଉଛନ୍ତି ଲାଞ୍ଚ । ଲାଇସେନ୍ସ ରିନୁଆଲ କରିବାକୁ ପାତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ବଳରାମ ଜେନା ଲାଞ୍ଚ ମାଗୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରିକି ଏହି ଲାଞ୍ଚ କାରବାରରେ ବିଧାୟକଙ୍କ ସମ୍ପୃକ୍ତି ଥିବା ଓ ତାଙ୍କ ଫୋନ୍ କଲ ଯାଞ୍ଚ କରିବାକୁ ଦାବି ହେଉଛି ।

ସୂଚନାଯାଗ୍ୟ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ମହିଳାଙ୍କୁ ରାସନ ସାମଗ୍ରୀ ବଣ୍ଟନ ଲାଇସେନ୍ସ ରିନୁଆଲ କରିବାକୁ ଲାଞ୍ଚ ନେଉଛନ୍ତି । ଲାଞ୍ଚ ନଦେଲେ କାମ ହେଉନାହିଁ । ଜଣେ ବ୍ୟକ୍ତି ଲାଇସେନ୍ସ ରିନୁଆଲ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେଉଛି । ତେବେ ୫୦୦ ଟଙ୍କା କମ ଥିବାରୁ ବ୍ୟକ୍ତି ଜଣଙ୍କ ପରେ ଆଣି ଦେବାକୁ କହୁଛନ୍ତି । ଏହାପରେ ଯୋଗାଣ ଅଧିକାରୀ ଜଣେ କର୍ମଚାରୀଙ୍କୁ ଡାକି ମୁଁ ଥାଏ ନଥାଏ, ଇଏ ଆସିଲେ ୫୦୦ ଟଙ୍କା ଓ ଫଟୋ ରଖିବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ଯୋଗାଣ ଅଧିକାରୀ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଫସେଇବାକୁ ଉଦ୍ୟମ କରାଯାଇଥିବା କହିଛନ୍ତି ।