ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦେବେନ୍ଦ୍ରଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ । ଏଥିସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସଦବେଦନା ଜଣାଇଛନ୍ତି। ଦେବେନ୍ଦ୍ର ସବୁବେଳେ ମନେ ରହିବା ସହ ଏଭଳି ଜଣେ ରାଜନେତାଙ୍କୁ ଆମେ ସର୍ବଦା ଝୁରିବୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ବାଜପେୟୀଙ୍କ ସରକାରରେ ଏକାଠି ନବୀନ ଓ ଦେବେନ୍ଦ୍ର ମନ୍ତ୍ରିମଣ୍ଡଳରେ ସହଯୋଗୀ ଥିଲେ। ସେହିପରି ବିଜେଡିର ଅନ୍ୟ ନେତା ବି ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜି ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର । ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଁଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନବନ୍ଦରରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ବିଜେଡି ନେତା ମହେଶ ସାହୁ, ବ୍ରଜ କିଶୋର ପ୍ରଧାନ, ରୋମାଞ୍ଚ ରଂଜନ ବିଶ୍ବାଳ, ମନ୍ମଥ ରାଉତରାୟ, ଭୃଗୁ ବକ୍ସିପାତ୍ର ଓ କଂଗ୍ରେସର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାପାଙ୍କ ପାର୍ଥିବ ଶରୀର ପହଞ୍ଚିବା ବେଳେ ଉପସ୍ଥିତ ରହିଥିଲେ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ଗାଡିରେ ଡାକ୍ତର ପ୍ରଧାନଙ୍କ ପାର୍ଥିବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଜ୍ୟ ବିଜେପିର ବହୁ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।