କାଲିଠୁ ଖେଳାଯିବ ସମ୍ମାନଜନକ ଅନ୍ତଃ ଜିଲ୍ଲା କଳାହାଣ୍ଡି କପ କ୍ରିକେଟ

ନନ୍ଦିଘୋଷ ବ୍ୟୁରୋ: ଓସିଏ ଆନୁକୂଲ୍ୟରେ ଆସନ୍ତାକାଲିଠାରୁ ଖେଳାଯିବ ସମ୍ମାନଜନକ ଅନ୍ତଃ ଜିଲ୍ଲା କଳାହାଣ୍ଡି କପ କ୍ରିକେଟ । କଟକ, ଖୋର୍ଦ୍ଧା, ଜଟଣୀ, ଅଡସପୁରର ୯ ଟି ଗ୍ରାଉଣ୍ଡରେ ଏକା ସାଙ୍ଗରେ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲା ଓ କିଛି ବିଭାଗୀୟ ଟିମକୁ ମିଶାଇ ମୋଟ ୩୮ ଟିମ ଅଂଶଗ୍ରହଣ କରୁଛନ୍ତି । ଲିଗ କମ ନକଆଉଟ ଭିତ୍ତିରେ ସମସ୍ତ ମ୍ୟାଚ ଖେଳାଯିବ । ଏଥିରୁ ଆଗାମୀ ସିଜିନ ପାଇଁ ସମ୍ଭାବ୍ଯ ରଣଜୀ ଖେଳାଳିଙ୍କୁ ଚୟନ କରାଯିବ । ରଣଜୀ ସିଜିନ ଆରମ୍ଭରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି ଓସିଏ । ସବୁ ଟିମକୁ ୬ ଟି ଗ୍ରୁପରେ ବିଭକ୍ତ କରି ୫୦ ଓଭର ବିଶିଷ୍ଟ ଲିଗ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତି ଟିମ ନିଜ ଗ୍ରୁପରେ ଅତି କମରେ ୫ ଟି ମ୍ୟାଚ ଖେଳିବାକୁ ସୁଯୋଗ ପାଇବେ । ଫଳରେ ସେମାନଙ୍କ ପ୍ରତିଭା ପରଖିବା ପାଇଁ ଚୟନକର୍ତ୍ତାଙ୍କ ପାଖରେ ଭଲ ସୁଯୋଗ ରହିବ । ଲିଗ ସରିବା ପରେ ଶ୍ରେଷ୍ଠ ଦଳକୁ ନେଇ ନକଆଉଟ ଭିତ୍ତିରେ ଚମ୍ପିୟନ ଓ ରନର୍ସ ଅଫ ଟିମ ବଛାଯିବ ।