ନିଆଁ ଲିଭାଉଥିବା ବେଳେ ମହିଳା ଜୀବନ୍ତ ଦଗ୍ଧ

ନନ୍ଦିଘୋଷ ବ୍ୟୁରୋ: ନିଆଁ ଲିଭାଉଥିବା ବେଳେ ମହିଳା ଜୀବନ୍ତ ଦଗ୍ଧ । କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ ଦୁଃଖଦ ଘଟଣା ଘଟିଛି । ଘର ନିକଟକୁ ଜଙ୍ଗଲ ନିଆଁ ମାଡି ଆସୁଥିବା ବେଳେ ତାହାକୁ ଲିଭାଇବାକୁ ଯାଇ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ମହିଳା ଜଣକ ହେଲେ ଗୋବରୀ ଗାଁର ବୁଧିନି ମହାନ୍ତ । ବୁଧିନିଙ୍କ ଘର ନିକଟରେ ଥିବା ଜଙ୍ଗଲ ରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଏହା ଚାରିଆଡେ ବ୍ୟାପି ଯାଇଥିଲା । ଧିରେ ଧିରେ ଏହା ବ୍ୟାପି ଜଙ୍ଗଲ ନିକଟରେ ରହୁଥିବା ବୁଧିନିଙ୍କ ଘର ଆଡେ ମାଡି ଆସିଥିଲା । ଫଳରେ ନିଆଁକୁ ଲିଭାଇବା ପାଇଁ ବୁଧିନି ଘର ନିକଟରେ ଥିବା ଏକ କେନାଲ ହୁଡ଼ାରେ ଚଢ଼ି ଯାଇଥିଲେ । କିନ୍ତୁ କୌଣସି କାରଣ ବଶତଃ କେନାଲ ଉପରୁ ବୁଧିନିଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ଜଳୁଥିବା ନିଆଁ ଭିତରେ ଖସି ପଡ଼ିଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସେ ତାହା ମଧ୍ୟରୁ ବାହାରି ପାରିନଥିଲେ । ଫଳରେ କିଛି ସମୟ ମଧ୍ୟରେ ସେ ନିଆଁ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କିଛି ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବର ଦେବା ପରେ ମହାବିରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି  ।