ଖଣି ଲୁଟର ସର୍ଦ୍ଦାର ସାଜିଛନ୍ତି ସରକାର; ସାରା ରାଜ୍ୟରେ ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ

ଭୁବନେଶ୍ବର : ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଲୁଟ ଚରମସୀମାରେ ପହଞ୍ଚିଛି । ସାରା ରାଜ୍ୟରେ ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ । ଖଣି ଲୁଟର ସର୍ଦ୍ଦାର ସାଜିଛନ୍ତି ସରକାର । ସୁସଂଗଠିତ ଓ ବ୍ୟବସ୍ଥିତ ଭାବେ ଚାଲିଛି ଖଣି ଲୁଟ । ଏମିତି ଅଭିଯୋଗ ଆଣି ପ୍ରେସମିଟ କରି ବର୍ଷିଛି ବିଜେଡି । ଖଣି ଲୁଟ ବିଶେଷ କରି ଲଘୁ ଖଣିଜ ଲୁଟରେ ଧର୍ମଶାଳାରେ କ୍ୟାନ୍ସର ଷ୍ଟେଜରେ ପହଞ୍ଚିଲାଣି । ସୁନ୍ଦରଗଡ଼, ରାଉରକେଲା, ଧର୍ମଶାଳା, ନରସିଂହପୁର ହେଉ ସବୁଆଡେ ଲଘୁ ଖଣିଜ ପଦାର୍ଥ ଚୋରି ଶୀର୍ଷରେ ପହଞ୍ଚିଲାଣି । ଓଡ଼ିଶାରେ ନୂଆ ସରକାର ଆସିବା ପରେ ବ୍ୟବସ୍ଥିତ ଢଙ୍ଗରେ ଲୁଟ ହେଉଛି । ଶାସକ ଦଳ ବିଧାୟକଙ୍କ ଜରିଆରେ ହେଉଥିବା ଏହି ଲୁଟ ମୁଖ୍ୟମନ୍ତ୍ରୀ ଯାଏ ନେଟୱାର୍କ ରହିଛି । ଲୋକଙ୍କ ପାଇଁ କାମ ତ ଦୂରର କଥା ବର୍ତ୍ତମାନ ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ଖଣି ଲୁଟ ।
ଲୁଟ ରୋକିବା ବଦଳରେ ଲୁଟିବା ପାଇଁ ବ୍ୟବସ୍ଥା ହେଉଛି । ଗତ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ତିନୋଟି ପ୍ରସଙ୍ଗରେ ନିର୍ଦ୍ଦେଶ ଥିଲା । ଖଣି ଲୁଟ ରୋକିବାକୁ ଫୋକସ ଥିଲା । କିନ୍ତୁ ଏଥିରେ ମୁଖ୍ୟ ଶାସନ ସଚିବ ଦୁର୍ନୀତିର ଉତ୍ସ ବା କ୍ରସରକୁ ଛାଡିଗଲେ । ଏହାର ଭିତିରି ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ହଇରାଣ କରି ମାଫିଆଙ୍କୁ ସହଯୋଗ କରିବା ହିଁ ଉଦ୍ଦେଶ୍ୟ ବୋଲି କହିଛି ବିଜେଡି । ଏବେ ଦୁର୍ନୀତିର ନାଭି କେନ୍ଦ୍ର ହେଉଛି କ୍ରସର । ଲଘୁ ଖଣିଜ ପଦାର୍ଥର ଦାମ ୩୦ ରୁ ୪୦ ପ୍ରତିଶତ ବଢିଛି । ମହଙ୍ଗା ମାଡ଼ର ସରକାର ମୋହନ ସରକାରରେ ବାଲି ଗୋଡିର ଦାମ ବି ବଢିଛି । ରାଜନୈତିକ ବ୍ୟକ୍ତିଙ୍କ ଚାନ୍ଦା ଗରିବ ଲୋକଙ୍କ ମୁଣ୍ଡ ଉପରେ ପଡିଛି ।
ଗାଁରେ ଇନ୍ଦିରା ଆବାସ ପାଇଁ ଟ୍ରାକ୍ଟରରେ ବାଲି ନେଲେ ବି ପୋଲିସ ମାଡି ବସୁଛି। କିନ୍ତୁ ହାଇୱା ଗଲେ ଧରାଯାଉନି। କ୍ରସର ଉପରେ ଚଢ଼ାଉ ନାହିଁ। ମାଫିଆଙ୍କ ଅଧୀନରେ ସରକାର। ବ୍ୟବସ୍ଥାର ଅପରାଧିକରଣ ହୋଇଛି । ବେଆଇନ ଖଣି ଖନନ ରୋକିବାକୁ ଗାଇଡ଼ଲାଇନ ଅଛି । ହେଲେ ଛୋଟ ଗାଡି ଉପରେ ଆକ୍ସନ ହେଉଛି କିନ୍ତୁ ଖଣି ମାଲିକ ଓ କ୍ରସର ଉପରେ ଆକ୍ସନ ନାହିଁ ବୋଲି କହି ବିଜେଡି ଉଦବେଗ ପ୍ରକାଶ କରିଛି । ରାଜା ଚକ୍ର ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟା ରଖିଛି । ରାଜା ଚକ୍ର ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ । କିନ୍ତୁ ଗୋଟିଏ ରାଜା ଚକ୍ର ଥିଲା ଏବେ ସବୁ ମନ୍ତ୍ରୀ ଚକ୍ର ହୋଇଗଲାଣି ବୋଲି କଟାକ୍ଷ କରିଛି ବିଜେଡି ।