ଓଡ଼ିଆ ସାହିତ୍ୟର ଯୁଗ ପୁରୁଷ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଆଜି ଅନ୍ତିମ ସଂସ୍କାର

1 min read

ଭୁବନେଶ୍ବର : ଓଡ଼ିଆ ସାହିତ୍ୟର ଯୁଗ ପୁରୁଷ, ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଭୂଷଣ ଡକ୍ଟର ରମାକାନ୍ତ ରଥଙ୍କ ଆଜି ହେବ ଅନ୍ତିମ ସଂସ୍କାର। ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହେବ ଶେଷକୃତ୍ୟ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୯୧ ବର୍ଷ ବୟସରେ ଗତକାଲି ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ ଘଟିଥିଲା । ରମାକାନ୍ତଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରମାକାନ୍ତଙ୍କ ଭୁବନେଶ୍ଵର ଖାରବେଳ ନଗର ସ୍ଥିତ ବାସଭବନରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଥିଲେ ରମାକାନ୍ତ ରଥ । ତାଙ୍କ କବିତା ଓଡ଼ିଆ ସାହିତ୍ୟକୁ ନୂଆ ମୋଡ଼ ଦେଇଛି ।‌ ତାଙ୍କ କବିତାରେ ଭରି ରହିଥାଏ ଅନେକ ଭାବ। ଶ୍ରୀରାଧା ତାଙ୍କର ଶ୍ରେଷ୍ଠ କବିତା ।

ଦରଦୀ ମଣିଷ ଥିଲେ ରମାକାନ୍ତ ରଥ। ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ଆଜି ଚିର ନିଦ୍ରାରେ ଶୋଇଯାଇଛନ୍ତି । ତାଙ୍କ ବିୟୋଗରେ ସାରା ସାହିତ୍ୟ ଜଗତରେ ଖେଳିଯାଇଛି ଶୋକ । ଓଡ଼ିଆ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ । କବି ରମାକାନ୍ତ ରଥ କେନ୍ଦ୍ର ସାହିତ୍ୟ ଏକେଡେମୀ ପୁରସ୍କାର, ଶାରଳା ପୁରସ୍କାର, ସାହିତ୍ୟ ଭାରତୀ, ଅତିବଡ଼ି ଜଗନ୍ନାଥ, ବିଷୁବ ପୁରସ୍କାର, କବୀର ସମ୍ମାନ ପାଇଛନ୍ତି । ରମାକାନ୍ତ ଆଖି ବୁଜିଛନ୍ତି । କିନ୍ତୁ ସବୁଦିନ ପାଇଁ ପ୍ରତିଟି ପାଠକ ଓ ଲେଖକ ପାଖରେ ସେ ଚିରଦିନ ଅମର ହୋଇ ରହିବେ । ଯେପର୍ଯ୍ୟନ୍ତ କବିତା ଅଛି, କବି ରମାକାନ୍ତ ଅଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ରମାକାନ୍ତଙ୍କ ବିୟୋଗ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।