ପାଞ୍ଚ ନିଷ୍ପାପ ଶିଶୁଙ୍କ ଦୁର୍ଦ୍ଦିନରେ କଟୁଛି ଜୀବନ, ସ୍ବାର୍ଥପର ସମାଜରେ ଖୋଜୁଛନ୍ତି ସହାୟତା

ନନ୍ଦିଘୋଷ ବ୍ୟୁରୋ : ବାପା ମା’ ଚାଲିଯିବା ପରେ ଏବେ ଅସହାୟ ୫ ପିଲା । ସଂସାରର ଭିଡ ଭିତରେ ସହାୟତା ଲୋଡୁଛନ୍ତି ନିଶ୍ପାପ ଶୁିଶୁ । ବାପା ମାଆ ନଥିବାରୁ ଦୟନୀୟ ଭାବେ ୫ ପିଲା ଦାଦାଙ୍କ ଘରେ ରହୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡ଼ୋ ପଞ୍ଚାୟତ ପୋଡାସିଙ୍ଗିଡି ଗାଁରେ । ପୋଡାସିଙ୍ଗିଡି ଗାଁର ମରା ହୋ ଓ ପତ୍ନୀ ସଞ୍ଜୁଙ୍କର ୬ ଛୁଆଙ୍କୁ ନେଇ ପରିବାର ଚାଲୁଥିଲା । ହଠାତ ସଞ୍ଜୁ ନିଜର ୫ ଛୁଆଙ୍କୁ ଛାଡି ଅନ୍ୟତ୍ର ଚାଲିଯିବାର ଦୁଇ ମାସ ପରେ ବାପା ଆରପାରିକୁ ଚାଲିଗଲେ । ଏବେ ଅସହାୟ ଅବସ୍ଥାରେ ୫ ପିଲା ଜୀବନ କାଟୁଛନ୍ତି । ଜେଜେମା ଜଙ୍ଗଲରୁ ଦାନ୍ତକାଠି ଆଣି ବିକ୍ରି କରି ବହୁ କଷ୍ଟରେ ପିଲାଙ୍କ ମୁହଁରେ ଦାନା ଗଣ୍ଡେ ଦେଉଛନ୍ତି ।
ଦାଦା ବୁଦୁ ହୋ ଏକ ଗ୍ୟାରେଜରେ କାମ କରନ୍ତି । ତେଣୁ ତାଙ୍କ ପାଖେ ନିଜ ପରିବାର ସହିତ ବଡ ଭାଇଙ୍କ ୫ପିଲାଙ୍କୁ ଚଳାଇବା କଷ୍ଟକର ହୋଇପଡୁଛି । ଯାହା ଫଳରେ ସେ ଛୁଆଙ୍କୁ ପେଟପୁରା ଗଣ୍ଡେ ଖାଇବାକୁ ମଧ୍ୟ ଦେଇପାରୁ ନାହାନ୍ତି । ଅନ୍ୟପକ୍ଷରେ ୫ ଜଣ ପିଲା ରାସନ କାର୍ଡରୁ ବଞ୍ଚିତ ଅଛନ୍ତି । ଏପରି ସ୍ଥିତିରେ ପିଲାମାନେ ପାଠ ମଧ୍ୟ ପଢିପାରୁନାହାଁନ୍ତି । ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି । ଅନ୍ୟପକ୍ଷରେ ସେମାନଙ୍କୁ ମାସିକ ୨୫ କିଗ୍ରା ଚାଉଳ ଦିଆଯାଉଛି, ଆବାସ ଯୋଜନାରେ ଶୀଘ୍ର ଘର ଯୋଗାଇବା ସହ ସେମାନଙ୍କୁ ବାଳାଶ୍ରମରେ ରଖାଯାଇ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ପ୍ରଶାସନ ତୁରନ୍ତ ଏହି ଶିଶୁମାନଙ୍କୁ ଉଦ୍ଧାର କରି ଅନାଥାଶ୍ରମରେ ଥଇଥାନ କରି ଶିକ୍ଷାଦାନ ବ୍ୟବସ୍ଥା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।