ରାଉରକେଲାରେ ନିର୍ମାଣ କାମ ଏକପ୍ରକାର ଠପ୍, ୨୪ ବାଲିଘାଟ ଥିବା ସତ୍ତ୍ବେ ବଢୁଛି ବାଲି ସଂକଟ

ରାଉରକେଲା : ରାଉରକେଲାରେ ମିଳୁନି ବାଲି । କନଷ୍ଟ୍ରକସନ କାମ ଏକପ୍ରକାର ଠପ୍ । ଟ୍ରିପ ପିଛା ୪ ଗୁଣା ଟଙ୍କା ଦେଇ କିଣୁଛନ୍ତି ଲୋକେ । ଉନ୍ନୟନ କାମ ପାଇଁ ମନ ଦେଉ ନାହାନ୍ତି ଠିକାଦାର । ଅତ୍ଯଧିକ ଜୋରିମାନା ଯୋଗୁଁ ପରିବହନ ପାଇଁ ଅମଙ୍ଗ ଟ୍ରକ ମାଲିକ । ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ୨୪ ଟି ବାଲିଘାଟ ଥିଲେ ସୁଦ୍ଧା ଦେଖାଦେଇଛି ବାଲି ସଙ୍କଟ । ଫଳରେ ସହରର ବିଭିନ୍ନ ସରକାରୀ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବାଲି ଟ୍ରିପ ସରକାରୀ ମୁଲ୍ୟ ୪ ହଜାର ଟଙ୍କା ଧାର୍ଯ୍ୟ ଥିବାବେଳେ ୧୨ ହଜାର ଟଙ୍କାରେ କିଣୁଛନ୍ତି ଠିକାଦାର । ବଢୁଛି କଳାବଜାରୀ । ତୁରନ୍ତ ସମାଧାନ ନକଲେ ସହରରେ ସରକାରୀ ଉନ୍ନତିମୂଳକ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ଯ ହେବେ ବୋଲି କହିଛନ୍ତି ଠିକାଦାର।

ଲଘୁ ଖଣିଜ ଚୋରା ଚାଲାଣ ଅଭିଯୋଗରେ ଜିଲ୍ଲାରେ ୨୦୨୪ ଏପ୍ରିଲ ମାସରୁ ୨୦୨୫ ଫେବୃଆରୀ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୦ଟି ଗାଡି ଜଵତ କରାଯାଇ ଏକ କୋଟି ୨୩ ଲକ୍ଷ ୫୮ ହଜାର ୯୦୧ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଚଳିତ ମାର୍ଚ୍ଚ ମାସରେ ୧୯ ଟି ଚୋରା ବାଲି ଭର୍ତ୍ତି ଗାଡି ଜଵତ କରାଯାଇଛି । ତେବେ ଅତ୍ୟାଧିକ ଜୋରିମାନା ଯୋଗୁଁ ବାଲି ଚାଲାଣ ପାଇଁ ମଙ୍ଗୁ ନାହାନ୍ତି ଟ୍ରକ ମାଲିକ । ଫଳରେ ସହରରେ ବାଲି ସଂକଟ ଉତ୍କଟ ହୋଇଛି । ଉରକେଲା ସହରରେ ବାଲି ଚୋରା କାରବାର ବୃଦ୍ଧି ପାଇଥିବା ଓ ବାଲିର କଳାବଜାରୀ ହେଉଥିବା ଅଭିଯୋଗ ହେଵା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି  ।