ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗ

ଭୁବନେଶ୍ବର : ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗ । ଆଜି ୯୧ ବର୍ଷ ବୟସରେ ଭୁବନେଶ୍ଵର ଖାରବେଳ ନଗର ବାସଭବନରେ ତାଙ୍କର ପରଲୋକ ହୋଇଛି । ସେ ‘ଶ୍ରୀ ରାଧା’ କବି ଭାବେ ପରିଚିତ ଥିଲେ । ପଦ୍ମଭୂଷଣ ରମାକାନ୍ତ ରଥ, ଆଧୁନିକ ଓଡିଆ ସାହିତ୍ୟ କ୍ଷେତ୍ରରେ ଖୁବ୍ ଜଣାଶୁଣା ନାଁ । କେବଳ ଏତିକି ନୁହେଁ, ଓଡିଆ କବିତାରେ ଶିଖର ଛୁଇଁଥିବା କବି ଲେଖକମାନଙ୍କ ଭିତରୁ ସେ ଥିଲେ ଜଣେ । ଆଧୁନିକ ଓଡିଆ କବିତାକୁ ପାଠକାଭିମୁଖୀ କରିବାରେ କବି ରମାକାନ୍ତଙ୍କ ଭୂମିକା ବେଶ୍ ସ୍ମରଣୀୟ। କବିତାରେ ଭାବର ବିଭବ, ପ୍ରେମର ମାଧୁର୍ଯ୍ୟ ଓ ସମର୍ପଣର ସୁଗନ୍ଧ ପରଶିବାରେ ତାଙ୍କର ରହିଛି ସ୍ବାତନ୍ତ୍ର୍ୟତା । ଆପଣା ବାଗରେ ଆପଣା ଢଙ୍ଗରେ କବିତା ଲେଖି ସେ ପାଠକ ହୃଦୟରେ ଘର କରି ରହିଛନ୍ତି । ଏହି ନିଆରା ଶୈଳୀ ତାଙ୍କ ସୃଷ୍ଟିକୁ କରିଛି, ସର୍ବକାଳୀନ ତଥା ସାର୍ବଜନୀନ ।
୧୩ ଡିସେମ୍ବର ୧୯୩୪ ମସିହା କଟକରେ କବି ରମାକାନ୍ତ ରଥ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ପୁରୀ ଜିଲ୍ଲାର ଦାମୋଦରପୁର ଶାସନ। ତାଙ୍କ ପିତାଙ୍କ ନାମ ବିଶ୍ବନାଥ ରଥ ଓ ମାଆଙ୍କ ନାମ ଦୁର୍ଗାଦେବୀ । ଉଚ୍ଚଶିକ୍ଷା ସମାପନ ପରେ ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଭାରତ ସରକାରଙ୍କ ଅଧିନରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି । ବୃତ୍ତିରେ ଜଣେ ଦକ୍ଷ ପ୍ରଶାସକ ଆଉ ପ୍ରବୃତ୍ତିରେ ସେ ହେଉଛନ୍ତି ଜଣେ ଉଚ୍ଚକୋଟିର ଲେଖକ ।
ଅର୍ଦ୍ଧଶତାଦ୍ଦୀରୁ ଉର୍ଦ୍ଧ୍ବ ସମୟ ଧରି ଓଡିଆ ପାଠକମାନଙ୍କ ପାଇଁ କବିତା ସେ ଲେଖି ଆସିଛନ୍ତି । ଛାତ୍ର ଜୀବନରୁ ସେ ଆରମ୍ଭ କରିଥିଲେ ଲେଖାଲେଖି । ୧୯୬୨ରେ ପ୍ରକାଶ ପାଏ ପ୍ରଥମ କବିତା ଗ୍ରନ୍ଥ ‘କେତେଦିନର’ । ଏହାପରେ ‘ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା, ସଚ୍ଚିତ୍ର ଅନ୍ଧାର, ସପ୍ତମ ଋତୁ’ ଆଦି କବିତା ପ୍ରକାଶ ପାଇଛି । ୧୯୮୪ରେ ପ୍ରକାଶ ପାଇଥିଲା ଚର୍ଚ୍ଚିତ କାବ୍ୟ ଗ୍ରନ୍ଥ ‘ଶ୍ରୀରାଧା’ । ଯାହା ଓଡିଆ ସାହିତ୍ୟରେ ଏକ ମାଇଲଖୁଣ୍ଟ ହୋଇ ରହିଛି । ଓଡିଆ ଭାଷା ସାହିତ୍ୟର ମଡର୍ଣ୍ଣ ଏପିକ୍ ଭାବେ ପରିଚିତ ଏହି କାବ୍ୟ ପାଠକଙ୍କ ଅତି ପ୍ରିୟ । ଏହି କ୍ଲାସିକ ସୃଷ୍ଟି ପାଇଁ ରମାକାନ୍ତ ୧୯୯୨ରେ ପାଇଛନ୍ତି ସମ୍ମାନଜନକ ସରସ୍ବତୀ ସମ୍ମାନ । କବି ସଚ୍ଚି ରାଉତରାୟ ଓ ଗୁରୁପ୍ରସାଦଙ୍କ ପରେ ଓଡିଆ ସାହିତ୍ୟରେ ନୂଆ ଧାରା ତିଆରି କରିଥିଲେ ରମାକାନ୍ତ ରଥ । କବିତାରେ ଉପମା, ଚତ୍ରକଳ୍ପ, ପ୍ରତୀକର ଉପଯୁକ୍ତ ପ୍ରୟୋଗ ତାଙ୍କ କବିତାକୁ କରିଛି ସାର୍ବଜନୀନ । ତାଙ୍କ କବିତା ରଚନା ଶୈଳୀ ଆଜି ଅନେକ କବିଙ୍କୁ ପ୍ରଭାବିତ କରିଛି । ଶୈଳୀ ଦୃଷ୍ଟିରୁ କବିତା ରଚନା ଆଧୁନିକ ହେଲେ ମଧ୍ୟ ଏଥିରେ ରହିଛି ପରମ୍ପରାର ପ୍ରଭାବ । ମିଥ୍ ଓ ସାମାଜିକ ଜୀବନ ଯନ୍ତ୍ରଣା ସ୍ବର ବେଶ୍ ସ୍ପଷ୍ଟ ବାରିହୋଇପଡେ । ରମାକାନ୍ତ ରଥ କବିତା ଲେଖି କେବଳ ପାଠକୀୟ ପ୍ରଶଂସା ପାଇନାହାନ୍ତି, ମେଘ ଓ ଅନ୍ୟାନ୍ୟ ଗଳ୍ପ ଲେଖି ବି ମନଜିଣିଛନ୍ତି ।
ପ୍ରଥମ ଓଡି଼ଆ ଲେଖକ ଭାବେ ସେ ହୋଇଥିଲେ, କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି । କାବ୍ୟ କବିତା ଲେଖି ସେ ପାଇଥିଲେ ବହୁ ପ୍ରଶଂସା ଓ ସ୍ବୀକୃତି । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ପୁରସ୍କାର, କବୀର ସମ୍ମାନ ଓ ସମ୍ମାନଜନକ ପଦ୍ମଭୂଷଣ ଉପାଧି ଲାଭ କରିଥିଲେ । ତାଙ୍କର ପ୍ରସିଦ୍ଧ କବିତା ସର୍ବୋପରି ଆଦର୍ଶ ବ୍ୟକ୍ତିତ୍ବ ଓଡିଆ ସାହିତ୍ୟକୁ ଏକ ସର୍ବଶ୍ରେଷ୍ଠ ଅବଦାନ ବୋଲି କୁହାଯାଇପାରେ । ତାଙ୍କର ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।