ଯମ ସାଜିଛି ମୋ ବସ୍: ୮ ମାସରେ ନେଲାଣି ୬ ମୁଣ୍ଡ, ନୂଆ ସରକାର ଆସିବା ପରଠୁ ଲଗାମଛଡ଼ା କ୍ରୁଟ ଓ ଡ୍ରାଇଭର

1 min read

ଭୁବନେଶ୍ବର: ରାସ୍ତାରେ ମୋ ବସକୁ ଦେଖି ଡରିଲେଣି ଲୋକ । ନୂଆ ସରକାର ଆସିବା ପରେ ଅଧିକ ବେପରୁଆ ହୋଇଯାଇଛନ୍ତି ଡ୍ରାଇଭର । ୬ ମୁଣ୍ଡ ଗଡ଼ିବା ପରେ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ବିଳମ୍ବରେ ହେଲେ ବି ଡ୍ରାଇଭରଙ୍କୁ ଟ୍ରେନିଂ ଦେବାକୁ ନଗର ଉନ୍ନୟନ ବିଭାଗ ଚିନ୍ତା କରିବା ସହ ମୋ ବସ ଆଗରେ ଓ ପଛରେ ସିସିଟିଭି କ୍ୟାମେରା ଲଗାଇବାକୁ ଚିନ୍ତା କରାଯାଇଛି ।  ଏସବୁ ବ୍ୟବସ୍ଥା ଭିତରେ ମୋ ବସ ଦାୟିତ୍ବରେ ଥିବା କ୍ରୁଟକୁ ଅଭିଜ୍ଞ ସମ୍ପନ୍ନ ହୋଇ କାମ କରିବାକୁ ସଡ଼କ ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । ନହେଲେ ଆହୁରି ବିପଦ ଆଣି ପାରେ ମୋ ବସ ।

ଜୁନ୍ ୨୦୨୪ ଠାରୁ ଏଯାବତ୍ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ବାରା ୧୯ଟି ଦୁର୍ଘଟଣା ଘଟିଛି । ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣଙ୍କର ଜୀବନ ଯାଇଛି  । କେବଳ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର କ୍ଷତିପୂରଣ ଦିଆଯାଇଛି । କେତେବେଳେ ମଦ୍ୟପାନ କରି ଡ୍ରାଇଭିଂ ତ ଆଉ କେତେବେଳେ ଅନଭିଜ୍ଞ ଡ୍ରାଇଭରଙ୍କ ଦ୍ବାରା ଗାଡ଼ି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ।

ଏତେ ସବୁ ଅଘଟଣ ପରେ ଏବେ ସରକାରଙ୍କ ଚେତା ପଶିଛି । ଦିନକୁ ତିନି ଥର ଡ୍ରାଇଭରଙ୍କ ମଦ ପିଆ ପରୀକ୍ଷା କରାଯାଉଛି । ଏହାଦ୍ବାରା ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବା ସ୍ବୀକାର କରି ୭ ଜଣଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ୭ ଜଣଙ୍କ ଲାଇସେନ୍ସ ବାତିଲ କରିବାକୁ ବି ଆରଟିଓକୁ ଚିଠି ଲେଖାଯାଇଛି । ତେବେ ମୋ ବସ ଆଗ ଓ ପଛରେ ସିସିଟିଭି ଲଗାଇବାକୁ ବି ଯୋଜନା କରାଯାଉଛି । ସ୍ବୟଂକ୍ରିୟ ଚାଳକ ସହାୟକ ବ୍ୟବସ୍ଥା-ଆଡାସ ସହ ଡ୍ରାଇଭରମାନଙ୍କୁ ଟ୍ରେନିଂ ଦେଇ ଦକ୍ଷ କରିବାକୁ ଚିନ୍ତା ବି କରୁଛନ୍ତି ସରକାର । ଡିଜେଲ ମୋ ବସର ସ୍ପିଡ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓ ବୈଦ୍ଯୁତିକ ବସର ୩୫ କିଲୋମିଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ତା’ସତ୍ତ୍ବେ ଗାଡ଼ିକୁ ଡ୍ରାଇଭରମାନେ ନିୟନ୍ତ୍ରଣକୁ ଆଣି ନପାରିବା ସେମାନଙ୍କ ପାରିବା ପଣିଆ ସହ କ୍ରୁଟର ଡ୍ରାଇଭର ଚୟନକୁ କାଠଗଡ଼ାରେ ଠିଆ କରିଛି ।

ସିସିଟିଭି ଲଗାଇଲେ କିଛି ହେବନି । କାରଣ ଦକ୍ଷ ଡ୍ରାଇଭରର ଆବଶ୍ୟକତା ରହିଛି । ଯଦି ଏବେ ଡ୍ରାଇଭରମାନଙ୍କ ଟ୍ରେନିଂ କଥା ଚିନ୍ତା କରାଯାଉଛି, ତେବେ ଅଣପ୍ରଶିକ୍ଷିତ ଡ୍ରାଇଭରମାନଙ୍କୁ କ୍ରୁଟ କିପରି ଚୟନ କଲା ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି । କ୍ରୁଟ ବି ଅସ୍ଥାୟୀ ଡ୍ରାଇଭରଙ୍କ ଦ୍ବାରା ମୋ ବସ ଚଳାଉଛି । ସ୍ଥାୟୀ ଓ ଅଭିଜ୍ଞ ସମ୍ପନ୍ନ ଡ୍ରାଇଭର ନ ଆସିବା ଯାଏଁ, ମୋ ବସର କିଲର ଇମେଜରେ ସୁଧାର ଆସିବ ନାହିଁ ବୋଲି ମତ ପ୍ରକାଶ ପାଇଛି ।

ସାରା ଓଡ଼ିଶାର ରାସ୍ତା ଏବେ କିଲର ରୋଡ ପାଲଟିଲାଣି । କେବଳ ସଡ଼କ ସୁରକ୍ଷା ମାସରେ ହିଁ ସଡ଼କ ଦୁର୍ଘଟଣା ନେଇଛି ୫୦୫ ମୁଣ୍ଡ । ଏହି ଗୋଟେ ମାସରେ ହିଁ ୮୪୮ ଦୁର୍ଘଟଣା ଘଟିଛି । ଏଥିରେ ୪୭୨ ଜଣ ଆହତ ହୋଇଥିବା ବିଧାନସଭାରେ ରିପୋର୍ଟ ହୋଇଛି ।