ବିଜେପି ସରକାର ଆସିବା ପରେ ଘୁଞ୍ଚିବାରେ ଲାଗିଛି ମେଟ୍ରୋ ରେଳ ସ୍ବପ୍ନ, ଡିପିଆର୍ ପରିବର୍ତ୍ତନ କରିବା ବାହାନାରେ କାମ ଠପ୍

1 min read

ଭୁବନେଶ୍ବର: ଘୁଞ୍ଚିବାରେ ଲାଗିଛି ମେଟ୍ରୋ ଟ୍ରେନ ସ୍ବପ୍ନ । ପ୍ରକଳ୍ପ ପାଇଁ ଅର୍ଥର ବ୍ୟବସ୍ଥା କରିଥିଲେ ନବୀନ ସରକାର । କାମ ବି ଆଗେଇଥିଲା । ହେଲେ ବିଜେପି ସରକାର ମେଟ୍ରା ପ୍ରକଳ୍ପକୁ ବନ୍ଦ କରିବାକୁ ଯୋଜନା କରିଛି । ମେଟ୍ରୋ ପ୍ରକଳ୍ପର ତର୍ଜମା ଲାଗି ସରକାର ଗଠନ କରିଛନ୍ତି ଉଚ୍ଚସ୍ତରୀୟ କମିଟି । ବିଜେପି ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡ଼ି । ଜାଣିଶୁଣି ସରକାର ଛଳନା କରୁଛନ୍ତି ବୋଲି କହିଛି ବିଜେଡି ।

ଏପ୍ରିଲ ୨୦୨୩ରେ ନବୀନ ସରକାର ମେଟ୍ରା ରେଳ ପ୍ରକଳ୍ପକୁ କରିଥିଲେ ଅନୁମୋଦନ । ୨୦୨୪ ଜାନୁଆରୀ ପହିଲାରେ ବାରଙ୍ଗରେ ପଡ଼ିଥିଲା ଭିତ୍ତିପ୍ରସ୍ତର । ପ୍ରକଳ୍ପ ପାଇଁ ୬ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ ଓଡ଼ିଶା ସରକାର । ରାଜ୍ୟବାସୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ସ୍ବପ୍ନ ବାସ୍ତବ ହେଉଛି ବୋଲି ଅନୁଭୂତ ହେଲା । ହେଲେ ବିଜେପି ସରକାର ଆସିବା ପରେ ବଦଳିଗଲା ଚିତ୍ର । ରଙ୍ଗ ବଦଳାଇବାରେ ମାହିର ବିଜେପି ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ ମାଡ଼ି ମକଚି ଦେବାକୁ ଉଦ୍ୟମ କରିଛି । ମେଟ୍ରୋ ପ୍ରକଳ୍ପ ଆର୍ଥିକ ଦୃଷ୍ଟିରୁ କିପରି ସଶକ୍ତ ହେବ, ତା’ର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ବିଭିନ୍ନ ରାଜ୍ୟକୁ ଯାଇ କମିଟି ସ୍ଥିତି ଅନୁଧ୍ୟାନ କରିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରଠାରୁ କଟକର ତ୍ରିଶୂଳିଆ ଯାଏଁ ସ୍ଥିରୀକୃତ ହୋଇଥିବା ରୁଟ୍ ପରିବର୍ତ୍ତନ ନେଇ ଆଲୋଚନା ହେଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ମେଟ୍ରୋ ପ୍ରକଳ୍ପକୁ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଆର୍ଥିକ ଓ ଭିତ୍ତିଭୂମି ଦୃଷ୍ଟିରୁ ଓଡ଼ିଶାକୁ ଦେଶରେ ଅଗ୍ରଣୀ କରାଇଥିଲେ ନବୀନ ପଟ୍ଟନାୟକ । ଭୁବନେଶ୍ବର ସହର କ୍ରୀଡ଼ାରୁ ଶିକ୍ଷା, ଆଇଟିରୁ ସ୍କିଲ ଡେଭେଲପେମଣ୍ଟର ହବ୍ ହୋଇଥିବାରୁ ଟ୍ବିନ ସିଟି ମଧ୍ୟରେ ମେଟ୍ରୋ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରର ବିନା ସହଯୋଗରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ପ୍ରକଳ୍ପ ପାଇଁ ଅର୍ଥ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ଦୂରତା ମଧ୍ୟରେ ୨୦ଟି ଷ୍ଟେସନ ଦେଇ ମେଟ୍ରୋ ଟ୍ରେନ ଚଲାଇବାକୁ ଧାର୍ଯ୍ୟ ହୋଇଥିଲା । ତ୍ରିଶୁଳିଆରେ ମେଟ୍ରୋ ଟ୍ରେନର କେନ୍ଦ୍ରୀୟ ଡିପୋ କାମ ବି ଚାଲିଛି । ଏତେ ସବୁ ଆଗେଇବା ପରେ ବିଜେପି ସରକାର ପ୍ରକଳ୍ପର ତର୍ଜମା ପାଇଁ ଉଚ୍ଚସ୍ତରୀୟ କମିଟି ଗଢି ମେଟ୍ରୋ ଟ୍ରେନ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ମେଟ୍ରୋ ପାଇଁ ନବୀନଙ୍କୁ ଶ୍ରେୟ ଯିବା ନିଶ୍ଚିତ ଥିବାରୁ ଡରିଯାଇଛି ବିଜେପି । ଏଥିପାଇଁ  ରାଜ୍ୟବାସୀ ବିଜେପିକୁ କେବେ ବି କ୍ଷମା ଦେବେ ନାହିଁ ବୋଲି କହିଛି ବିଜେଡି ।

ମେଟ୍ରା ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଘେରରେ । ୨୦୨୪ ମାର୍ଚ୍ଚରେ ଭୁବନେଶ୍ବର-କଟକ ମେଟ୍ରୋ କାମ ନେଇଥିବା ଦିଲ୍ଲୀ ମେଟ୍ରା ନିଗମ ୬୩୦ କୋଟିର ପ୍ରଥମ ପର୍ଯ୍ୟାୟ ଟେଣ୍ଡର ଡାକିଥିଲା । ଟେଣ୍ଡର ସରିବା ପରେ କାମ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ପାଇଁ ପୂର୍ତ୍ତ ବିଭାଗର ଯୋଜନା ଯୋଗୁଁ ମେଟ୍ରୋ ପ୍ରକଳ୍ପରେ ଡିପିଆର୍ ପରିବର୍ତ୍ତନ କରିବା ବାହାନାରେ ଏବେ ମେଟ୍ରୋ କାମ ବନ୍ଦ ରହିଛି ।