ଧରାପଡିଲା ଡବଲ ଇଞ୍ଜିନ ସରକାରଙ୍କ ଜଙ୍ଗଲ ସମ୍ପଦ ପ୍ରୀତି, ନିଆଁ ଆୟତ୍ତ ଲାଗି ବଜେଟରେ କାଟି ଦେଲେ ୫୦ ପ୍ରତିଶତ ଅର୍ଥ
1 min read
ଭୁବନେଶ୍ବର: ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନ ବାବଦ ବ୍ୟୟବରାଦ ଅର୍ଥ ପୂର୍ବ ବର୍ଷ ତୁଳନାରେ ୫୦ ପ୍ରତିଶତ କାଟି ଦେଇଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଜଙ୍ଗଲ ଅଧିକାରୀ ଓ ପରିବେଶବିତ । ଜଙ୍ଗଲ ନିଆଁ ଲାଗି ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଓଡ଼ିଶା ଦେଶରେ ଦ୍ବିତୀୟ । ଏହାକୁ ଆୟତ୍ତ ପାଇଁ ବଜେଟ୍ ଅର୍ଥ ବଢିବା ପରିବର୍ତ୍ତେ କମୁଛି କିପରି ବୋଲି ପ୍ରଶ୍ନ ଉଠିଛି ? ଯେତିକି ଅର୍ଥ ଦିଆଯାଇଛି ବର୍ଷେ ତ ଯିବନି ମାତ୍ର କେଇମାସରେ ସରିଯିବ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଅଭିଯୋଗ ଉଠିଛି । ଅନ୍ୟପକ୍ଷରେ ଓଡ଼ିଶାରେ ନବୀନଙ୍କ ଶାସନ ସମୟରେ ଏହି କ୍ଷେତ୍ରରେ ଅଧିକ ଅର୍ଥ ଦିଆଯାଉଥିଲା । ଆଉ ଏବେର ବିଜେପି ସରକାର ଆସୁ ଆସୁ ଅର୍ଥ କାଟିବା ଆରମ୍ଭ କରି ଦେଇଛନ୍ତି ।
ବଢୁଛି ତାପମାତ୍ରା, ଜଳୁଛି ଜଙ୍ଗଲ । ବିରୋଧୀରେ ଥିଲା ବେଳେ ଭାରି ଉଦବେଗ । କ୍ଷମତାକୁ ଆସିବାରୁ ପୂରା ନିହଲ । ଏ ହେଉଛି ଡବଲ ଇଞ୍ଜିନ ସରକାରଙ୍କ ଜଙ୍ଗଲ ପ୍ରୀତି । ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ବ୍ୟୟ ବରାଦ ଅର୍ଥ ପୂର୍ବ ଦୁଇ ବର୍ଷ ତୁଳନାରେ କାଟିଛନ୍ତି ୫୦ ପ୍ରତିଶତ । ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାବି କେବଳ ଫମ୍ପା । ରାଜ୍ୟ ସରକାରଙ୍କ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ରୁ ଏହି କଥା ଜଳଜଳ ଦିଶୁଛି । ଏବେ ବି ରାଜ୍ୟର ବିଭିନ୍ନ ବଡ଼ ଜଙ୍ଗଲର ୭୬ଟି ସ୍ଥାନରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ହେଉଛି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା । ଏ ବାବଦରେ କେନ୍ଦ୍ର ସରକାର ଯେତିକି ଅର୍ଥ ଦିଅନ୍ତି ତାର ଆନୁପାତିକ ଅଂଶ ରାଜ୍ୟ ସରକାର ବହନ କରନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ଗାଏବ ହେଉଥିବାରୁ ଗତ ଦୁଇବର୍ଷ ହେଲାଣି ରାଜ୍ୟରେ ଜଙ୍ଗଲ ନିଆଁ କାୟା ମେଲାଇ ଚାଲିଛି । ସ୍ଥଳଚର ପ୍ରାଣୀଙ୍କ ଜୀବନ ହାନୀ ଓ ଅଧିକ କାର୍ବନ ନିର୍ଗମନ ଯୋଗୁଁ ପରିବେଶ ଦୂଷିତ ହେଉଛି । ଏହାକୁ ଆୟତ୍ତ କରିବାକୁ ଅଧିକ ବଜେଟ୍ ଅର୍ଥ ଦେବା ପରିବର୍ତ୍ତେ କେନ୍ଦ୍ର ସରକାର କମାଇଛନ୍ତି । ୨୦୨୩-୨୪ରେ ଉଭୟ ମୂଳ ଓ ଅତିରିକ୍ତ ରାଜ୍ୟ ଜଙ୍ଗଲ ବିଭାଗ ବଜେଟର ବ୍ୟୟ ବରାଦ ଥିଲା ୪୦ କୋଟି । ସମାନ ପରିମାଣ ଅର୍ଥ ୨୦୨୪-୨୫ ଆର୍ଥିକ ବର୍ଷରେ ଦିଆଯାଇଥିଲା । କିନ୍ତୁ ଗତ ଫେବ୍ରୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ୨୦୨୫-୨୬ ବର୍ଷ ବଜେଟରେ ଏହି ଅର୍ଥ ରାଶି ମାତ୍ର ୨୦ କୋଟି ରଖାଯାଇଛି । ଯାହାକୁ ନେଇ ପୂର୍ବତନ ଜଙ୍ଗଲ ଅଧିକାରୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜ୍ୟରେ ୩୩ ପ୍ରତିଶତରୁ ଅଧିକ ଅଞ୍ଚଳ ଜଙ୍ଗଲ ଆଚ୍ଛାଦିତ । ଏହାକୁ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ବ । ଯଦି ଏତେକମ୍ ବଜେଟ୍ ଦିଆଯିବ ତା’ହେଲେ ଜଙ୍ଗଲ ପାଖ ଗାଁଲୋକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଯଥେଷ୍ଟ ହେବନି । ଫଳରେ ଉଭୟ ପରିବେଶ ଓ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଚାଲିବ ବୋଲି ଉଦବେଗ ପ୍ରକାଶ କରି କହିଛନ୍ତି ପରିବେଶ ବିଜ୍ଞାନୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲ ନିଆଁ ଆୟତ୍ତ କରିବା ପାଇଁ ବଜେଟ୍ ଅଧିକ ଅର୍ଥ ଦେବା ଆବଶ୍ୟକ । ୨୦୨୧ ମସିହାରେ ଓଡ଼ିଶାରେ ଜଙ୍ଗଲ ନିଆଁ ଏତେ ପରିମାଣରେ ବ୍ୟାପିଥିଲା ଯେ, ସେଥିରେ ୫୧ଟି ସ୍ଥାନ ଜଳୁଥିବା ଚିହ୍ନଟ ହୋଇଥିଲା । ତତ୍କାଳୀନ ସରକାର ଜଙ୍ଗଲ ପାଖରେ ଥିବା ଗାଁ ଲୋକଙ୍କୁ ନିଆଁ ଆୟତ୍ତ କରିବାରେ ସହାୟତା କରିବାକୁ ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା କରିଥିଲେ । ଏବେ ଯେତିକି ପରିମାଣର ବଜେଟ୍ ଦିଆଯାଇଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ।
ଜଙ୍ଗଲ ସମ୍ପଦର ସୁରକ୍ଷା କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଡ଼ ପାଟିରେ ଚିତ୍କାର କରୁଛନ୍ତି । ପ୍ରଚାର ପ୍ରସାର ପାଇଁ ବିଭିନ୍ନ ବନ୍ୟଜନ୍ତୁ ଓ ଜଙ୍ଗଲ ସପ୍ତାହ ପାଳନ କରିବାରେ ବ୍ୟସ୍ତ । ବଜେଟ୍ ଅର୍ଥ ହ୍ରାସ କରି ଡବଲ ଇଞ୍ଜିନ ସରକାର ପ୍ରମାଣ କରିଛନ୍ତି ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯେପରି ଆଗାମୀ ଦିନରେ ଆସିବନି । ଏହା ସରକାରଙ୍କ ସାହାସ କି ଦୁଃସାହସ ତାକୁ ନେଇ ବୁଦ୍ଧିଜୀବୀ ଆଚମ୍ବିତ ।