କ୍ଷମା ମାଗିବାର ଉଠୁନି ପ୍ରଶ୍ନ, ଦାବି ପୂରଣ କଲେ ଆଣ୍ଠେଇ ଆଣ୍ଠେଇ ବିଧାନସଭା ଯିବି: ତାରା
1 min read
ଭୁବନେଶ୍ବର: ଆଣ୍ଠେଇ ଆଣ୍ଠେଇ ବିଧାନସଭା ଯିବାକୁ ପ୍ରସ୍ତୁତ ହେଉଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ ହେବା ପରେ ନାରୀ ନିର୍ଯାତନା ରୋକିବା ପାଇଁ ଏପରି ଉପାୟ ବାଛିଛନ୍ତି ତାରା । ଯଦି ରାଜ୍ୟ ସରକାର ନାରୀ ନିର୍ଯାତନା ରୋକିବା ପାଇଁ ଗୃହ କମିଟି ଗଠନ ସହ ସ୍ବତନ୍ତ୍ର ଆଇନ ଆଣିବେ ତେବେ ତାରା ଆଣ୍ଠେଇ ଆଣ୍ଠେଇ ବିଧାନସଭାକୁ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ନେଇ ରାଜନୀତି ଥମିବାର ନାଁ ନେଉନି ।
ବିଧାନସଭା ଭିତରେ ଓ ବାହାରେ ଏ ପ୍ରସଙ୍ଗକୁ ନେଇ କଂଗ୍ରେସ ଆଗ୍ରେସିଭ ମୋଡକୁ ଆସିଥିବା ବେଳେ ଜିଦରେ ଅଟଳ ତାରା । ମୁଁ କ୍ଷମା ମାଗିବିନି ବରଂ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ନେଇ ଗୃହ କମିଟି ଗଠନ ସହ ସ୍ବତନ୍ତ୍ର ଆଇନ ସରକାର ଆଣନ୍ତୁ ବୋଲି ତାରା ଦାବି କରିଛନ୍ତି । ଦାବିପୂରଣ ହେଲେ କ୍ଷମା ମାଗିବି କ’ଣ ? ଆଣ୍ଠେଇ ଆଣ୍ଠେଇ ବିଧାନସଭାକୁ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଜୟପୁର ବିଧାୟକ । ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ତାରା କହିଛନ୍ତି, ଶାସକ ଦଳର ବହୁ ସଦସ୍ୟ ମତେ ଫୋନ କରି କହିଲେ ତମେ ହିରୋ ହୋଇଗଲ l କିନ୍ତୁ ଯେମିତି ଗୃହ ଚାଲିବା କଥା ଚାଲୁନାହିଁ l ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣକୁ ପୂରା ଓଡିଶା ନିନ୍ଦା କରୁଛି । ସାରା ରାଜ୍ୟରେ ଜୟନାରାୟଣଙ୍କ ବ୍ୟବହାରକୁ ଲୋକେ ପ୍ରତିବାଦ କରିଛନ୍ତି ବୋଲି ତାରା କହିଛନ୍ତି । ସେପଟେ ବିଜେପି ବିଧାୟକ ଦୁଷ୍ମନ୍ତ ସ୍ବାଇଁ କହିଛନ୍ତି, ଶାସକ ଦଳ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲୁଛି ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ନାବାଳିକା ଗର୍ଭବତୀ ହେବା ଘଟଣାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦୁଇ ବିରୋଧୀ । ଗୃହ ଭିତରେ ଓ ବାହାରେ ଏ ପ୍ରସଙ୍ଗ ରାଜ୍ୟ ସରକାରଙ୍କୁ ବ୍ୟାକଫୁଟକୁ ନେଇଛି । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଶାସକ ଦଳ ବିରୋଧୀଙ୍କ ସ୍ବରକୁ ଚପାଇ ଦେବାକୁ ଚେଷ୍ଟା କରୁଛି । ବିଧାନସଭାରେ ଏକ ପାଖିଆ ଭାବେ ନିଷ୍ପତ୍ତି ନିଆଯାଉଛି । ବିଧାନସଭାରେ ବିରୋଧୀ ଓ ଶାସକ ଦଳକୁ ସମାନ ଅଧିକାର ଦେବାକୁ ବିଜେଡି ଦାବି କରିଛି । ସେପଟେ କଂଗ୍ରେସ ଆଗକୁ ନାରୀ ନିର୍ଯାତନା ପ୍ରସଙ୍ଗରେ ଲଢେଇ ଜୋରଦାର କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ।
ସର୍ତ୍ତ ଓ ନିଲମ୍ବନକୁ ନେଇ ବିଜେପି ଓ କଂଗ୍ରେସ ମୁହାମହିଁ ହୋଇଛନ୍ତି । ବିଜେପି ସରକାର ବିରୋଧରେ ଆସନ୍ତା ୨୭ ତାରିଖରେ କଂଗ୍ରେସ ରଣ ହୁଙ୍କାର ଦେଇଛି । ବିଧାନସଭା ଘେରାଉ ଲକ୍ଷ୍ଯ ରଖିଛି ଦଳ । ଆଗକୁ ଏ ପ୍ରସଙ୍ଗ କି ମୋଡ ନେଉଛି ତାହାକୁ ଅପେକ୍ଷା ।