ବିତିଲାଣି ୪୦ ଘଣ୍ଟା, ଏବେବି ୧୫୪ ପାକ୍ ଯବାନ ବନ୍ଧକ

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଜାଫର ଏକ୍ସପ୍ରେସ ହାଇଜାକ ଘଟଣାକୁ ପୁରିଲାଣି ୪୦ ଘଣ୍ଟା। ଏବେ ବି ପଣବନ୍ଦୀ ଅଛନ୍ତି ଶତାଧିକ ଯାତ୍ରୀ। ବାଲୁଚ ବିଦ୍ରୋହୀଙ୍କ ପାଖରେ ୧୫୪ ଜଣ ପାକ୍ ସେନାର ଯବାନ ବନ୍ଧକ ଥିବା କହିଛନ୍ତି। ଏପର୍ଯ୍ୟନ୍ତ ବାଲୁଚ୍ ସେନା ୧୦୦ ଜଣଙ୍କୁ ହତ୍ୟା କରିଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୪୦ ଜଣ ଯବାନ ଅଛନ୍ତି। ମୋଟ ୧୫୫ ଯାତ୍ରୀଙ୍କୁ ପାକ ସୈନ୍ୟ ଉଦ୍ଧାର କରିପାରିଛନ୍ତି । ଉଭୟ ପକ୍ଷରୁ ଗୁଳି ଚାଳନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨୭ ବିଦ୍ରୋହୀଙ୍କୁ ମାରିଥିବା କହିଛି ପାକସେନା ।

ସେପଟେ ବିଦ୍ରୋହୀଙ୍କ ଗୁଳିରେ ପାକିସ୍ତାନର ୩୦ ଯବାନଙ୍କ ମୃତ୍ଯୁ ହୋଇଥିବା ଦାବି କରିଛି ବାଲୁଚ ଲିବେରେସନ ଆର୍ମି। ତେବେ ପଣବନ୍ଦୀଙ୍କୁ ଛାଡିବା ପାଇଁ ବାଲୁଚ୍ ସେନା ପାକିସ୍ତାନ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲା। ଏବେ ଏହି ଅବଧିର ଆଉ ମାତ୍ର ୧୮ ଘଣ୍ଟା ବାକି ଅଛି। ନଚେତ ବନ୍ଧକ ଥିବା ସମସ୍ତ ଯାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ବଲୁଚ ବିଦ୍ରୋହୀ। ପଣବନ୍ଦୀଙ୍କ ବଦଳରେ ସମସ୍ତ ବଲୁଚ୍ ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ଛାଡ଼ି ଦିଅନ୍ତୁ ବୋଲି ଦାବି କରିଛି ବଲୁଚ୍ ଲିବେରେସନ ଆର୍ମି। ଯଦି ଏହି ସମୟ ମଧ୍ୟରେ PAK ସରକାର BLA ସହିତ କୌଣସି ଚୁକ୍ତି ନକରନ୍ତି, ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ବିଏଲଏ ସେନା ଟ୍ରେନ ହାଇଜାକ ବେଳର ଛାତିଥରା କାହାଣୀ ବଖାଣିଥିଲେ ବିପଦରୁ ଉଦ୍ଧାର ପାଇଥିବା ଜଣେ ଯାତ୍ରୀ ।

ପାକିସ୍ତାନ କ୍ଵେଟାରୁ ପେଶାୱର ଯାଉଥିଲା ଜାଫର ଏକ୍ସପ୍ରେସ । ଏହି ସମୟରେ  ଟ୍ରେନ ଟ୍ରାକରେ ପ୍ରଥମେ ବିସ୍ଫୋରଣ ହୋଇଥିଲା ।  ପରେ ଗୋଟିଏ ଘଣ୍ଟା ଧରି ଚାଲିଥିଲା ଫାୟାରିଂ। ପରେ ଟ୍ରେନ ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଗୋଟିଏ ବଗିରେ ୧୧ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଟ୍ରେନର ଲୋକୋ ପାଇଲଟଙ୍କୁ ମଧ୍ୟ ସେମାନେ ହତ୍ୟା କରିଥିଲେ ।