spot_img

Latest Posts

ସୁନ୍ଦରଗଡ଼ରେ ସକ୍ରିୟ ବାଲି ମାଫିଆ,ଦିନ ଦିପହରେ ବିଭିନ୍ନ ନଦୀରୁ ହେଉଛି ଵାଲି ଚୋରା

ନନ୍ଦିଘୋଷ ବ୍ୟୁରୋ:  ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନଦୀରୁ ଵାଲିର ଚୋରା କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ବିଶେଷ କରି ରାତି ସମୟରେ ବିଭିନ୍ନ ନଦୀରୁ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରାଯାଉଛି । ମାଫିଆମାନେ ବାଲିର ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିବା ବେଳେ ସରକାର ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି । ଦୈନିକ ଶହ ଶହ ଟ୍ରିପ ବାଲି ଖୋଲାଖୋଲି ଭାବେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ଵିଭାଗ, ରାଜସ୍ଵ ଵିଭାଗ, ଜଙ୍ଗଲ ବିଭାଗ ଓ ପ୍ରଶାସନ ପକ୍ଷରୁ କେବଳ ନାମକୁ ମାତ୍ର ଚଢାଉ କରାଯାଉଛି । ରାଉରକେଲା ସହର ରେ ଗୋଟିଏ ଟ୍ରାକ୍ଟର ବାଲି 2500 ଟଙ୍କା, ଗୋଟିଏ ଡମ୍ଫର ବାଲି 8 ହଜାର ଟଙ୍କା ଓ ଗୋଟିଏ ହାଇୱା ବାଲି 15 ହଜାର ଟଙ୍କାରେ ବିକ୍ରି କରି ଵାଲି ମାଫିଆମାନେ ଲାଭବାନ ହେଉଥିବା ନିଖିଳ ଓଡିଶା ଠିକାଦାର ମହାସଂଘ, ରାଉରକେଲା ଶାଖା ସଭାପତି ଅଭିଯୋଗ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୪ ମସିହା ଏପ୍ରିଲ ମାସରୁ ୨୦୨୫ ମସିହା ଫେବ୍ରୁଆରୀ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୦ ଟି ଗାଡି ଜଵତ କରାଯାଇଥିଲା । ଏଥିରୁ ଏକ କୋଟି ୨୩ ଲକ୍ଷ ୫୮ ହଜାର ୯୦୧ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଚଳିତ ମାର୍ଚ୍ଚ ମାସରେ ୧୦ ଦିନରେ ୧୯ ଟି ଚୋରା ବାଲି ଭର୍ତ୍ତି ଗାଡି ଜଵତ କରାଯାଇଛି । ବାଲିର ଚୋରା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ପାଇବା ପରେ ଚୋରା କାରବାର ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Latest Posts

Don't Miss