ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ, ଶାସକ-ବିରୋଧୀ ହାତାହାତି
1 min read
ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରସଙ୍ଗରେ ଶାସକ-ବିରୋଧୀ ହାତାହାତି ହେବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟର ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ମାଇକ୍ ଫୋପଡା, ମାରପିଟର ଦୃଶ୍ୟ ଦେଖିଥିବା ଓଡ଼ିଶାବାସୀ ପ୍ରଥମ ଥରପାଇଁ ନିଜ ରାଜ୍ୟର ବିଧାନସଭାରେ ଏଭଳି କାଣ୍ଡ ଦେଖିଛନ୍ତି ।
ଓଡ଼ିଶାରେ ପଶ୍ଚିମ ଓଡ଼ିଶାର ମିଶ୍ରଣ ଐତିହାସିକ ଭୁଲ ଥିଲା ବୋଲି କିଛିଦିନ ତଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏକ ସରକାରୀ ସଭାରେ ମନ୍ତବ୍ୟ ଦେଇଥିଲେ । ଏହା ସହିତ ସଭାରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଗାୟନ ସମୟରେ ସେ ନିଜ ଆସନରୁ ଉଠିନଥିଲେ । ଯାହାକୁ ନେଇ ରାଜ୍ୟ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଦିନ ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଏହା ବିରୋଧରେ ଗୃହ ମଧ୍ୟରେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ପ୍ରତିବାଦ କରିଥିଲେ ।
ସେହିଭଳି ବିଜେଡି ବିଧାୟକ କଳା ପଟି ବାନ୍ଧି ଓ ହାତରେ ପ୍ଲାକାର୍ଡ ଧରି ଜୟନାରାୟଣ ପ୍ରସଙ୍ଗରେ ସରକାରଙ୍କଠାରୁ ଉତ୍ତର ମାଗିଥିଲେ । ହଙ୍ଗାମ ମଧ୍ୟରେ ପ୍ରଶ୍ନକାଳ ଚାଲିଥିବା ବେଳେ ଗୋଟିଏ ସମୟରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଯାହା ପରେ ହାତହାତିର ରୂପ ନେଇଥିଲା ।
ତାରାକୁ ଧକ୍କ ଦେଲେ ଜୟ !
ହଙ୍ଗାମା ମଧ୍ୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ଯାହାଙ୍କୁ ନେଇ ପୁରା ବିବାଦ ତିଆରି ହୋଇଛି । ସେ ତାରା ବାହିନୀପତିଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ରାଜେନ ଏକା ଓଁ ଅଶୋକ ମହାନ୍ତି ହାତାହାତି ହେବାର ଦୃଷ୍ୟ ମଧ୍ୟ ଦେଖିବାକୁ ମିଳିଥିବା । ଠେଲାପେଲାରେ ସରକାରୀ ପକ୍ଷର ବାବୁ ସିଂ, ଟଙ୍କଧର ତ୍ରିପାଠୀ, ସନ୍ତୋଷ ଖଟୁଆ, ଦୁର୍ଗା ନାୟକ ମଧ୍ୟ ସାମିଲ ଥିଲେ ।