ବିଧାନସଭାରେ ‘ଜୟ’ ଝଡ଼: ଜୟନାରାୟଣଙ୍କ ମନ୍ତବ୍ୟ ବିରୋଧରେ ଗୃହରେ ହଙ୍ଗାମା

ଭୁବନେଶ୍ୱର: ଓଡ଼ିଶାରେ ମିଶିବା ଐତିହାସିକ ଭୁଲ ଓ ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ ପ୍ରସଙ୍ଗରେ ମଙ୍ଗଳବାର ଦିନ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଛି । ଗୃହ ମଧ୍ୟରେ ବିଜେଡି ବିଧାୟକ କଳା ପଟି ଓ ପ୍ଲାକର୍ଡ୍ ଧରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ଗୃହ ବାହାରେ ଓ ଭିତରେ ମୋର୍ଚ୍ଚା ଖୋଲିଥିଲା । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ଯାଇ ପ୍ରତିବାଦ କରିଥିଲେ ।

ଓଡ଼ିଶାରେ ମିଶିବା ‘ଐତିହାସିକ’ ଭୁଲ ଥିଲା ବୋଲି କିଛି ଦିନ ତଳେ ଏକ ସରକାରୀ ସଭାରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଦେଇଥିବା ବିବାଦୀୟ ମନ୍ତବ୍ୟ ସରକାରୀ ଦଳର ପିଛା ଛାଡୁନାହିଁ । ମଙ୍ଗଳବାର ଦିନ ଗୃହକାର୍ଯ୍ୟ ଆରମ୍ଭରୁ ବ୍ୟାପକ ହଙ୍ଗାମା ଆରମ୍ଭ ହୋଇଥିଲା । ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ସ୍ଲୋଗାନ ମଧ୍ୟରେ ପ୍ରଶ୍ନକାଳ ଚାଲିଥିଲା ।

କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ପ୍ରତିବାଦ କରିଥିଲେ । ସେ ବାଚସ୍ପତିଙ୍କ ମାଇକ୍ ଓପାଡ଼ି ଦେଇଥିଲେ । ରିପୋର୍ଟର ଟେବୁଲ ଉପରେ ତାରା ବାହିନୀପତି, ରୋମାଞ୍ଚ ରଂଜନ ବିଶ୍ୱାଳ, ସାଗର ଦାସ, ଦେବୀ ତ୍ରିପାଠୀ, ମାଧବ ଧଡ଼ା, ଚକ୍ରମଣି କହଁର, ଅଭିମନ୍ୟୁ ସେଠି ଚଢି ପ୍ରତିବାଦ କରିଥିଲେ ।

କଂଗ୍ରେସ ବିଧାୟକ ମଧ୍ୟ ବିଧାନସଭା ପରିସରରେ ଗାନ୍ଧିମୁର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଥିଲେ । ଅନ୍ୟପକ୍ଷରେ ବିଜେଡି ବିଧାୟକ କଳାପଟି ପିନ୍ଧି ଗୃହରେ ନିଜ ପ୍ରତିବାଦ ଜଣାଇଥିଲେ । ବିଜେଡି ବିଧାୟକ ପ୍ଲାକର୍ଡ ଧରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ପ୍ରବଳ ହଙ୍ଗାମା ମଧ୍ୟରେ ବାଚସ୍ପତି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି ।