spot_img

Latest Posts

ଫେଲ୍ ମାରୁଛି ରାଜ୍ୟ ବିଜେପି ସଭାପତି ଚୟନ ଡେଡଲାଇନ, ମନମୋହନଙ୍କ ମଙ୍ଗୁଆଳ ପଦକୁ ନେଇ ଦ୍ବନ୍ଦ୍ବ

ଭୁବନେଶ୍ବର : ଚାଲିଛି ବିଜେପି ସାଙ୍ଗଠନିକ ନିର୍ବାଚନ ପର୍ବ। ଫେଲ୍ ମାରୁଛି ରାଜ୍ୟ ସଭାପତି ଚୟନ ଡେଡଲାଇନ। ପ୍ରଥମେ ଜାନୁଆରୀ ୧୫, ପରେ ଜାନୁଆରୀ ଶେଷ, ପୁଣି ଫେବୃଆରୀ ଶେଷ ସପ୍ତାହ। ୧୫ ଦିନ ତଳେ ମାର୍ଚ୍ଚ ୧୫ ସୁଦ୍ଧା ସରିବ ବୋଲି ରାଜ୍ୟ ପ୍ରଭାରୀ କହିଥିବା ବେଳେ ଏବେ ପୁଣି ମାର୍ଚ୍ଚ ଶେଷକୁ ଯାଇଛନ୍ତି। ତାରିଖ ପରେ ତାରିଖ ବଦଳୁଛି। ହେଲେ ଦୂର ହୋଇପାରୁନି ରାଜ୍ୟ ସଭାପତି ଦ୍ବନ୍ଦ୍ବ। ସଭାପତି ପଦକୁ ନେଇ ଦଳ ଭିତରେ ସ୍ପଷ୍ଟ ଭାବେ ବାରିହେଲାଣି କନ୍ଦଳ। ମନମୋହନ ସାମଲଙ୍କୁ ଦଳ ପୁଣି ଥରେ ସଭାପତି ପଦରେ ବସାଇବା ପାଇଁ ଅନେକ ଚର୍ଚ୍ଚା ହେଉଥିବା ବେଳେ, ଏବେ ନୂଆ ମୁହଁକୁ ନେଇ ଦଳ ଭିତରେ ଆଲୋଚନା ହେଲାଣି। ହେଲେ ବାରମ୍ବାର ତାରିଖ ବଦଳୁଥିବାରୁ ସବୁ କିଛି କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ନିର୍ଭର କରୁଛି। ସେହିପରି ଦଳ ଭିତରେ ଅନେକ ଗୋଷ୍ଠୀ ସକ୍ରିୟ ଥିବାରୁ ସଭାପତି ନେଇ ସହମତି ହୋଇପାରୁନାହିଁ ବୋଲି କହିଛନ୍ତି ପ୍ରଭାରୀ।

ଖାଲି ସଭାପତି ନୁହେଁ, ସରକାର ଗଠନର ୯ ମାସ ପୁରିବାକୁ ବସିଥିବା ବେଳେ, ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ମଧ୍ୟ ଶେଷ ହେଉନି କସରତ। ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଓ ବୋର୍ଡ ଭଳି ଥଇଥାନ ପଦବୀରେ ଶତାଧିକ ନେତାଙ୍କୁ ନିଯୁକ୍ତି କରିବାକୁ ଦଳ ଯୋଜନା କରୁଛି। ଏଥିପାଇଁ ଏକ୍ସରସାଇଜ ଆରମ୍ଭ ହୋଇଛି ସତ, ହେଲେ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଦଳ ପାଇଁ ମୁଣ୍ଡ ଟେକିଛି ସମସ୍ୟା। ଦଳ ଓ ସରକାର ମଧ୍ୟରେ ସମନ୍ବୟ ପାଇଁ ବସୁଛି ଘନ ଘନ କୋର କମିଟି ବୈଠକ। ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ଛାମୁଆ ନେତା ପୁଣି ଥରେ ଏକାଠି ହୋଇଛନ୍ତି। ଖୁବଶୀଘ୍ର ସାଙ୍ଗଠନିକ ନିର୍ବାଚନ ସହିତ ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯାଉଥିବାରୁ ବିଳମ୍ବ ହେଉଛି ଏବଂ କେନ୍ଦ୍ର ବିଜେପିର ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ସଙ୍ଗଠନରେ ଦ୍ବନ୍ଦ, ସରକାରରେ ସ୍ଥାଣୁତା। ସଭାପତି ଚୟନ ନେଇ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଚାଲିଛି, ନିଗମ ଓ ବୋର୍ଡ ନିଯୁକ୍ତି ସେତିକି ବିଳମ୍ବିତ ହେଉଛି। ନିଜର ପତିଆରା ଦେଖାଇବାକୁ ଦଳ ଭିତରେ ଥିବା ଗୋଷ୍ଠୀର ଛକାପଞ୍ଝା ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ଅନ୍ୟପଟେ ଆଶାୟୀଙ୍କ ତାଲିକା ଲମ୍ବା ହେଉଥିବାରୁ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି।

Latest Posts

Don't Miss