ଛେଣ୍ଡିପଦା ବ୍ଲକରେ ବହୁ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ

ଛେଣ୍ଡିପଦା : ଉପହାସ ପାଲଟିଛି ସରକାରଙ୍କ ଭିନ୍ନକ୍ଷମ ଭତ୍ତା । ନିର୍ବାଚନ ବେଳେ ଭତ୍ତା ବୃଦ୍ଧି ପାଇଁ ଦେଇଥିଲେ ପ୍ରତିଶୃତି । ଭତ୍ତା ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନଥିବା ବେଳେ ୮୦ ପ୍ରତିଶତରୁ କମ୍ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ମିଳୁଥିବା ଅଭିଯୋଗ ହୋଇଛି । ଏହା ସହିତ ପୁରୁଣା ଭତ୍ତାଧାରୀଙ୍କ ମୃତ୍ୟୁରେ ସୃଷ୍ଟି ହେଉଥିବା ଶୂନ୍ୟ ସ୍ଥାନରେ ହିଁ ନୂତନ ଆବେଦନକାରୀଙ୍କୁ ସ୍ଥାନ ମିଳୁଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାରେ ସାଧୁତା ରହୁନଥିବାରୁ ପ୍ରକୃତ ଭିନ୍ନକ୍ଷମ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି । ହେଲେ ପ୍ରଶାସନିକ ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
ନିର୍ବାଚନ ବେଳେ ବିଜେପି ସରକାର ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା ବୃଦ୍ଧି କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସରକାରକୁ ଆସିବା ପରେ ୮୦ ବର୍ଷରୁ ଅଧିକ ବାର୍ଦ୍ଧକ୍ୟ ଓ ୮୦ ଶତକଡାରୁ ଅଧିକ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ପାଇଁ ଘୋଷଣା କଲେ । ହେଲେ ସରକାରୀ କର୍ମଚାରୀଙ୍କ ଉଦାସୀନତା ମନୋଭାବରୁ ଏବେ ବହୁ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଛେଣ୍ଡିପଦା ବ୍ଳକର ସାମାଜିକ ସୁରକ୍ଷା ବିଭାଗ ତାଲିକାରେ ୨୪୭ ଜଣ ହିତାଧିକାରୀଙ୍କ ନାଁ ରହିଛି । ୧୧୦୦ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀ ଆବେଦନ କରିଥିବା ଜଣାପଡ଼ିଛି । ବାରମ୍ବାର ଅନଲାଇନରେ ଆବେଦନ କରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିବା ନେଇ ଯୋଗ୍ୟ ହିତାଧିକାରୀ ଅଭିଯୋଗ କରିଛନ୍ତି । ଛେଣ୍ଡିପଦା ବ୍ଲକ ପ୍ରଶାସନ କାର୍ଯ୍ୟରେ ସାଧୁତା ଅଭାବ ଯୋଗୁଁ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ବିଭାଗୀୟ ଅଧିକାରୀ କ୍ୟାମେରା ଆଗରେ ମୁହଁ ଖୋଲିନାହାନ୍ତି ।