ପୁଣି ଦଣ୍ଡନାଚକୁ ଫେରିବ ଗଞ୍ଜାମର ଲୋକକଳା, ମଞ୍ଚସ୍ଥ ହେବନି ସାମାଜିକ ନାଟକ

ଆସିକା : ଦଣ୍ଡକୁ ଫେରିବ ଗଞ୍ଜାମ ଲୋକକଳା । ଆଉ ମଞ୍ଚସ୍ଥ ହେବନି ସାମାଜିକ ନାଟକ । ପୌରାଣିକ କାହାଣୀ, ସ୍ଥାନୀୟ ଅଂଚଳର ଲୋକ କଳା, ସଂସ୍କୃତି କଥାବସ୍ତୁକୁ ପାଥେୟ କରି ନାଟକ ପରିବେଷଣ କରାଯିବ । ଆଗାମୀ ବର୍ଷରୁ ଗଞ୍ଜାମରେ ଦଣ୍ଡନାଚ ସମୟରେ ମଞ୍ଚସ୍ତ କରାଯିବନି ସାମାଜିକ ନାଟକ । ହଜି ଯାଉଥିବା ଲୋକ କଳାକୁ ପରିଚିତ କରାଇବାକୁ ଏଭଳି ଉଦ୍ଯମ କରିଛନ୍ତି ଗଂଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ । ପୂର୍ବ ପରି ଦଣ୍ଡନାଚରେ ପରିବେଷଣ ହେବ ଦଣ୍ଡ ଶୁଆଙ୍ଗ, ରଜା ନାଚ, ରାମାୟଣ, ମହାଭାରତ, ଦାସକାଠିଆ ଭଳି ଆଦି ନାଟକ ।
ଗଂଜାମ ଓ ନୟାଗଡ଼ର ସବୁଠାରୁ ପ୍ରସିଦ୍ଧ ହେଉଛି ଦଣ୍ଡ ଯାତ୍ରା । ଏହି ଦଣ୍ଡ ସମୟରେ ମାନସିକ ଧାରୀ ଦଣ୍ଡୁଆ ୧୬ ପ୍ରକାର ଦଣ୍ଡ ପାଇଥାନ୍ତି । ମାନସିକ ପୁରଣ ପାଇଁ ମା’ କାଳୀଙ୍କ ଠାରେ ୧୩ ଦିନ ଧରି ନିଷ୍ଠାର ସହ ସବୁ ପ୍ରକାର ନିତି ନିୟମ ମାନି ଚଳିଥାନ୍ତି । ଦଣ୍ଡୁଆମାନେ ରାତି ସମୟରେ ମଧ୍ୟ ଅନିଦ୍ରା ରହିବାର ବିଧି ରହିଛି । ସେଥିପାଇଁ ଦଣ୍ଡ ଯାତ୍ରାରେ ଦଣ୍ଡୁଆମାନଙ୍କ ପାଇଁ ରାତ୍ରରେ ପୂର୍ବରୁ ପୌରାଣିକ କଥାବସ୍ତୁ ଉପରେ ନାଟକ ପରିବେଷଣ କରାଯାଉଥିଲା । ହେଲେ ଆଧୁନିକତାର ଛାପରେ ଲୋକ କଳାକୁ ଭୁଲି ଦଣ୍ଡନାଚରେ ସାମାଜିକ ନାଟକ ପରିବେଷଣ କରାଯାଉଥିଲା । ଯାହା ଦଣ୍ଡନାଚ ପରି ଏକ ଆଧ୍ୟାତ୍ମିକତା ଭାବକୁ କୁଠାର ଘାତ କରୁଥିଲା । ଯେଉଁ ଦଣ୍ଡ ନାଚ ଦଳ ନିୟମ ଉଲ୍ଲଂଘନ କରିବେ ତାଙ୍କ ଉପରେ ମହାସଂଘ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ । ଏନେଇ ଗତ ୭ ତାରିଖରେ ହିଂଜିଳି ସାମଳାଈ ପୀଠରେ ଗଂଜାମ ଓ ନୟାଗଡ଼ ଜିଲ୍ଲାର ଦଣ୍ଡନାଚ କମିଟି ମାନଙ୍କ ବୈଠରେ ନିଷ୍ପତି ନିଆ ଯାଇଛି ।